1ହେ ମୋହର ପୁତ୍ର, ତୁମ୍ଭେ ମୋହର ବ୍ୟବସ୍ଥା ପାସୋର ନାହିଁ; ମାତ୍ର ତୁମ୍ଭର ହୃଦୟ ମୋହର ଆଜ୍ଞାସବୁ ପାଳନ କରୁ।
2ଯେହେତୁ ତଦ୍ଦ୍ୱାରା ପରମାୟୁର ଦୀର୍ଘତା ଓ ଜୀବନର ବର୍ଷ ସଂଖ୍ୟା ଓ ଶାନ୍ତି ବୃଦ୍ଧି ହେବ।
3ଦୟା ଓ ସତ୍ୟତା ତୁମ୍ଭକୁ ପରିତ୍ୟାଗ ନ କରୁ; ଆପଣା କଣ୍ଠରେ ଉଭୟକୁ ବାନ୍ଧ ଓ ଆପଣା ଚିତ୍ତରୂପ ପଟାରେ ଲେଖି ରଖ।
4ତାହା କଲେ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ଦୃଷ୍ଟିରେ ଅନୁଗ୍ରହ ଓ ସୁବିବେଚନା ଲାଭ କରିବ।
5ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ।
6ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ।
7ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ; ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ।
8ତାହା ତୁମ୍ଭ ନାଭିଦେଶର ସ୍ୱାସ୍ଥ୍ୟ ଓ ଅସ୍ଥିର ମଜ୍ଜା ହେବ।
9ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର।
10ତହିଁରେ ତୁମ୍ଭର ଭଣ୍ଡାର ବହୁ ଧନରେ ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
11ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ।
12କାରଣ ଯେପରି ପିତା ଆପଣା ସନ୍ତୋଷ ପାତ୍ର ପୁତ୍ରକୁ, ସେପରି ସଦାପ୍ରଭୁ ଆପଣା ପ୍ରେମପାତ୍ରକୁ ଅନୁଶାସନ କରନ୍ତି।
13ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ।
14ଯେହେତୁ ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ, ପୁଣି ଶୁଦ୍ଧ ସୁବର୍ଣ୍ଣଠାରୁ ତାହାର ଲାଭ ଶ୍ରେଷ୍ଠ।
15ତାହା ମୁକ୍ତାଠାରୁ ଅଧିକ ମୂଲ୍ୟବାନ, ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ।