1ତୁମ୍ଭେ କାଲିର ବିଷୟରେ ଦର୍ପ କଥା କୁହ ନାହିଁ; ଯେହେତୁ ଏକ ଦିନ କଅଣ ଉତ୍ପାଦନ କରିବ, ତାହା ତୁମ୍ଭକୁ ଜଣା ନାହିଁ।
2ଅନ୍ୟ ଲୋକ ତୁମ୍ଭର ପ୍ରଶଂସା କରୁ, ମାତ୍ର ତୁମ୍ଭର ନିଜ ମୁଖ ତାହା ନ କରୁ; ଅପର ଲୋକ କରୁ, ମାତ୍ର ତୁମ୍ଭ ନିଜ ଓଷ୍ଠ ତାହା ନ କରୁ।
3ଭାରୀ ପଥର ଓ ଗୁରୁ ବାଲି; ମାତ୍ର ଅଜ୍ଞାନର ବିରକ୍ତି, ସେ ଦୁଇରୁ ଭାରୀ।
4କୋପ ନିଷ୍ଠୁର ଓ କ୍ରୋଧ ପ୍ରଳୟକାରୀ; ମାତ୍ର ଅନ୍ତର୍ଜ୍ୱାଳା ଆଗରେ କିଏ ଠିଆ ହୋଇ ପାରେ ?
5ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।
6ପ୍ରେମକାରୀର କ୍ଷତ ବିଶ୍ୱାସନୀୟ; ମାତ୍ର ଶତ୍ରୁର ଚୁମ୍ବନ ବହୁଳ।
7ତୃପ୍ତ ପ୍ରାଣୀ ମହୁଚାକକୁ ଘୃଣା କରେ; ମାତ୍ର କ୍ଷୁଧାର୍ତ୍ତ ପ୍ରାଣୀକୁ ତିକ୍ତ ଦ୍ରବ୍ୟସବୁ ମିଷ୍ଟ।
8ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ, ସେ ବସାରୁ ଭ୍ରମଣକାରୀ ପକ୍ଷୀର ତୁଲ୍ୟ।
9ତୈଳ ଓ ସୁଗନ୍ଧି ଧୂପ ମନକୁ ଆହ୍ଲାଦିତ କରେ, ମନର ମନ୍ତ୍ରଣାରୁ ଜାତ ମିତ୍ରର ମିଷ୍ଟତା ତଦ୍ରୁପ କରେ।
10ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ; ପୁଣି, ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ; ଦୂରସ୍ଥ ଭାଇଠାରୁ ନିକଟସ୍ଥ ପ୍ରତିବାସୀ ଭଲ।
11ହେ ମୋହର ପୁତ୍ର, ଜ୍ଞାନବାନ ହୁଅ ଓ ମୋ’ ମନକୁ ଆହ୍ଲାଦିତ କର; ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇ ପାରିବି।
12ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ।
13ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ; ପୁଣି, ଯେ ପରସ୍ତ୍ରୀ ପାଇଁ ଜାମିନ୍ ହୁଏ, ତାହାକୁ ବନ୍ଧକ ରଖ।
14ଯେଉଁ ଲୋକ ଅତି ପ୍ରଭାତରେ ଉଠି ଆପଣା ମିତ୍ରକୁ ଉଚ୍ଚ ରବରେ ଆଶୀର୍ବାଦ କରେ, ତାହାର ସେହି କର୍ମ ତାହା ପ୍ରତି ଅଭିଶାପ ରୂପେ ଗଣିତ ହେବ।
15ଭାରୀ ବୃଷ୍ଟିଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ, ଏ ଦୁଇ ଏକ ସମାନ ଅଟନ୍ତି।