2ଯେବେ ତୁମ୍ଭେ ପେଟାର୍ଥୀ ହୁଅ, ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ।
3ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ; ଯେହେତୁ ତାହା ପ୍ରବଞ୍ଚନାଜନକ ଖାଦ୍ୟ।
4ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ; ତୁମ୍ଭ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ।
5ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ ? କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ।
6କୁଦୃଷ୍ଟି ଲୋକର ଆହାର ଖାଅ ନାହିଁ, ପୁଣି, ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ;
7କାରଣ ସେ ଯେରୂପ ମନରେ ନିଜେ ଭାବେ, ସେ ସେରୂପ ଅଟେ; ସେ ଖାଅ ପିଅ ବୋଲି ତୁମ୍ଭକୁ କହେ ସତ୍ୟ, ମାତ୍ର ତୁମ୍ଭଠାରେ ତାହାର ମନ ନାହିଁ।
8ତୁମ୍ଭେ ଯେଉଁ ଅଳ୍ପ ଖାଇଅଛ, ତାହା ଉଦ୍ଗାର କରିବ; ପୁଣି, ତୁମ୍ଭର ମଧୁର ବାକ୍ୟ ହରାଇବ।
9ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ, ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।
10ପୁରାତନ ସୀମା ଘୁଞ୍ଚାଅ ନାହିଁ, ପୁଣି, ପିତୃହୀନର କ୍ଷେତ୍ରରେ ପ୍ରବେଶ କର ନାହିଁ।
11କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ; ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ।
12ଉପଦେଶରେ ତୁମ୍ଭର ମନ ଓ ଜ୍ଞାନର ବାକ୍ୟରେ ତୁମ୍ଭର କର୍ଣ୍ଣ ଦିଅ।
13ପିଲାକୁ ଶାସ୍ତି ଦେବାକୁ ତ୍ରୁଟି କର ନାହିଁ; ତୁମ୍ଭେ ତାହାକୁ ବାଡ଼ିରେ ମାରିଲେ ହେଁ ସେ ମରିବ ନାହିଁ।
14ତୁମ୍ଭେ ତାହାକୁ ବାଡ଼ିରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।
15ହେ ମୋହର ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମୋହର, ବିଶେଷରେ ମୋହର ମନ ହୃଷ୍ଟ ହେବ।
16ହଁ, ତୁମ୍ଭ ଓଷ୍ଠ ଯଥାର୍ଥ କଥା କହିଲେ, ମୋହର ଅନ୍ତଃକରଣ ଆହ୍ଲାଦିତ ହେବ।
17ତୁମ୍ଭ ମନ ପାପୀଗଣକୁ ଈର୍ଷା ନ କରୁ, ପୁଣି, ତୁମ୍ଭେ ସମସ୍ତ ଦିନ ସଦାପ୍ରଭୁଙ୍କ ପ୍ରତି ଭୟରେ ଥାଅ।
18କାରଣ ପୁରସ୍କାର ନିତାନ୍ତ ଅଛି ଓ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।
19ହେ ମୋହର ପୁତ୍ର, ଶୁଣ, ଜ୍ଞାନୀ ହୁଅ, ପୁଣି, ତୁମ୍ଭ ମନକୁ ସତ୍ପଥରେ କଢ଼ାଇ ନିଅ।
20ଦ୍ରାକ୍ଷାରସରେ ଆସକ୍ତ ଓ ପେଟାର୍ଥୀ ମାଂସ-ଭୋକ୍ତାମାନଙ୍କ ସଙ୍ଗୀ ହୁଅ ନାହିଁ।
21କାରଣ ମତୁଆଳା ଓ ପେଟୁକ ଦରିଦ୍ର ହେବେ ପୁଣି, ଘୁମା, ମନୁଷ୍ୟକୁ ଚିରାକନା ପିନ୍ଧାଇବ।
22ତୁମ୍ଭ ଜନ୍ମଦାତା ପିତାର କଥା ଶୁଣ, ପୁଣି, ମାତା ବୃଦ୍ଧା ହେଲେ,ତାହାକୁ ତୁଚ୍ଛ କର ନାହିଁ।
23ସତ୍ୟତା କିଣ, ପୁଣି, ତାହା ବିକ ନାହିଁ; ଜ୍ଞାନ, ଉପଦେଶ ଓ ସୁବିବେଚନା କିଣ।
24ଧାର୍ମିକର ପିତା ଅତିଶୟ ଆନନ୍ଦ କରେ, ପୁଣି, ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହେତୁ ହୃଷ୍ଟ ହୁଏ।
25ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହେଉନ୍ତୁ, ତୁମ୍ଭର ଗର୍ଭଧାରିଣୀ ଆନନ୍ଦ କରୁ।
26ହେ ମୋହର ପୁତ୍ର, ତୁମ୍ଭ ହୃଦୟ ମୋତେ ଦିଅ, ପୁଣି, ତୁମ୍ଭ ଚକ୍ଷୁ ମୋ’ ପଥରେ ତୁଷ୍ଟ ହେଉ।
27କାରଣ ବେଶ୍ୟା ଗଭୀର ଖାତ, ପୁଣି, ପରସ୍ତ୍ରୀ ସଙ୍କୀର୍ଣ୍ଣ କୂପ ଅଟେ।