1ଦାଉଦଙ୍କ ପୁତ୍ର ଇସ୍ରାଏଲର ରାଜା ଶଲୋମନଙ୍କ ହିତୋପଦେଶ;
2ଜ୍ଞାନ ଓ ଉପଦେଶ ବୁଝିବାକୁ; ଜ୍ଞାନଜନକ ବାକ୍ୟ ବିବେଚନା କରିବାକୁ;
3ସୁଆଚରଣ, ସାଧୁତା ଓ ସୁବିବେଚନା ଏବଂ ନ୍ୟାୟ ବିଷୟରେ ଉପଦେଶ ଗ୍ରହଣ କରିବାକୁ;
4ସରଳ ଲୋକଙ୍କୁ ସତର୍କତା ଓ ଯୁବା ଲୋକକୁ ବିଦ୍ୟା ଓ ପରିଣାମଦର୍ଶିତା ଦେବାକୁ;
5ଯେପରି ଜ୍ଞାନବାନ ଲୋକ (ତାହା) ଶୁଣି ପାଣ୍ଡିତ୍ୟରେ ବୃଦ୍ଧି ପାଇବ ଏବଂ ବୁଦ୍ଧିମାନ ଲୋକ ହିତଜନକ ପରାମର୍ଶ ପ୍ରାପ୍ତ ହେବ;
6ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।
7ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି।
8ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।
9ଯେହେତୁ ତାହା ତୁମ୍ଭର ଅନୁଗ୍ରହଜନକ ଶିରୋଭୂଷଣ ଓ ଗଳଦେଶର ହାର ସ୍ୱରୂପ ହେବ।
10ହେ ମୋହର ପୁତ୍ର, ପାପୀଗଣ ତୁମ୍ଭକୁ ଫୁସୁଲାଇଲେ, ତୁମ୍ଭେ ସମ୍ମତ ହୁଅ ନାହିଁ।
11ସେମାନେ ଯଦି କହନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ହତ୍ୟା କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;
12ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;
13ତହିଁରେ ଆମ୍ଭେମାନେ ସର୍ବପ୍ରକାର ବହୁମୂଲ୍ୟ ଧନ ପାଇବା, ଲୁଟିତ ଦ୍ରବ୍ୟରେ ଆପଣା ଆପଣା ଗୃହ ପରିପୂର୍ଣ୍ଣ କରିବା,
14ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ; ଆମ୍ଭ ସମସ୍ତଙ୍କର ଏକ ତୋଡ଼ା ହେବ;
15ହେ ମୋହର ପୁତ୍ର, ତୁମ୍ଭେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ, ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ;
16ଯେହେତୁ ସେମାନଙ୍କ ଚରଣ କୁକ୍ରିୟା କରିବାକୁ ଦୌଡ଼େ ଓ ରକ୍ତପାତ କରିବାକୁ ଶୀଘ୍ର ଧାଇଁ ଯାଏ।
17କୌଣସି ପକ୍ଷୀର ଆଖି ଆଗରେ ଜାଲ ପାତିବା ନିତାନ୍ତ ବ୍ୟର୍ଥ ହୁଏ।
18ସେମାନେ ନିଜ ନିଜର ରକ୍ତପାତ କରିବାକୁ ଛକି ବସନ୍ତି ଓ ଆପଣାମାନଙ୍କ ପ୍ରାଣକୁ (ଧରିବା ପାଇଁ) ଗୁପ୍ତରେ ଲୁଚି ରହନ୍ତି।