1ଅନ୍ତଃକରଣର କଳ୍ପନା ମନୁଷ୍ୟର ଅଟେ; ମାତ୍ର ଜିହ୍ୱାର ଉତ୍ତର ସଦାପ୍ରଭୁଙ୍କଠାରୁ ହୁଏ।
2ମନୁଷ୍ୟର ସମସ୍ତ ଗତି ଆପଣା ଦୃଷ୍ଟିରେ ନିର୍ମଳ; ମାତ୍ର ସଦାପ୍ରଭୁ ଆତ୍ମାମାନଙ୍କୁ ତୌଲନ୍ତି।
3ସଦାପ୍ରଭୁଙ୍କୁ ତୁମ୍ଭର କାର୍ଯ୍ୟ ସମର୍ପଣ କର, ତହିଁରେ ତୁମ୍ଭର ସଂକଳ୍ପ ସ୍ଥିରୀକୃତ ହେବ।
4ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି; ଦୁଷ୍ଟକୁ ମଧ୍ୟ ଦୁର୍ଦ୍ଦିନ ନିମନ୍ତେ।
5ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କଠାରେ ଘୃଣିତ, ହାତ ଧରାଧରି ହେଲେ ହେଁ ସେ ଅଦଣ୍ଡିତ ନୋହିବ।
6ଦୟା ଓ ସତ୍ୟତାରେ ପାପର ପ୍ରାୟଶ୍ଚିତ୍ତ ହୁଏ, ପୁଣି, ସଦାପ୍ରଭୁ ବିଷୟକ ଭୟ ଦ୍ୱାରା ମନୁଷ୍ୟମାନେ କୁକ୍ରିୟା ତ୍ୟାଗ କରନ୍ତି।
7ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୁଷ୍ଟିକର ହେଲେ, ସେ ତାହାର ଶତ୍ରୁମାନଙ୍କୁ ମଧ୍ୟ ତାହା ସହିତ ଶାନ୍ତିରେ ବାସ କରାନ୍ତି।
8ଅନ୍ୟାୟ ସହିତ ପ୍ରଚୁର ଆୟରୁ ଧାର୍ମିକତା ସହିତ ଅଳ୍ପ ଭଲ।
9ମନୁଷ୍ୟର ମନ ଆପଣା ପଥ ବିଷୟ କଳ୍ପନା କରେ; ମାତ୍ର ସଦାପ୍ରଭୁ ତାହାର ଗତି ନିରୂପଣ କରନ୍ତି।
10ରାଜାର ଓଷ୍ଠରେ ଦିବ୍ୟ-ବାକ୍ୟ ଥାଏ, ତାହାର ମୁଖ ବିଚାରରେ ସତ୍ୟ-ଲଙ୍ଘନ କରିବ ନାହିଁ।