51ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
52ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
53କିନ୍ତୁ ସେ ଯିରୂଶାଲମକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ ।
54ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, ଏଲିୟ ମଧ୍ୟ ଯେପରି କରିଥିଲେ, ସେହିପରି ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କ'ଣ ଆପଣଙ୍କର ଇଚ୍ଛା ?
55କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ । ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି ।
56ତାପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ ।
57ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି ।
58ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର (ଯୀଶୁ) ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ ।
59ପୁଣି, ସେ ଆଉ ଜଣକୁ କହିଲେ, ମୋହର ଅନୁସରଣ କର । କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।
60ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ୱରଙ୍କ ରାଜ୍ୟ ପ୍ରଚାର କର ।
61ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ ।