29କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ । ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଶିକୁଳି ଓ ହାତ କଡ଼ି ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା ।
30ଯୀଶୁ ତାହାଙ୍କୁ ପଚାରିଲେ, ତୋର ନାଁ କ'ଣ ? ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ ।
31ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ ।
32ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କଲେ ।
33ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ଼ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ ।
34ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ ।
35ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ ।
36ଆଉ, ଯେଉଁମାନେ ଦେଖିଲେ, ସେମାନେ ସେହି ଭୂତଗ୍ରସ୍ତ ଲୋକ କିପରି ସୁସ୍ଥ ହେଲା, ତାହା ସେମାନଙ୍କୁ ଜଣାଇଲେ ।
37ସେଥିରେ ଗରାଶୀୟମାନଙ୍କ ଅଞ୍ଚଳର ଚାରିପାଖରେ ଥିବା ସମସ୍ତ ଲୋକ ସେମାନଙ୍କଠାରୁ ଯିବା ପାଇଁ ତାହାଙ୍କୁ ଅନୁରୋଧ କଲେ, କାରଣ ସେମାନେ ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ; ଆଉ, ସେ ଗୋଟିଏ ନୌକାରେ ଚଢ଼ି ଫେରିଆସିଲେ ।
38କିନ୍ତୁ ଯେଉଁ ଲୋକଠାରୁ ଭୂତଗୁଡ଼ାକ ବାହାରିଯାଇଥିଲେ, ସେ ଯୀଶୁଙ୍କ ସାଙ୍ଗରେ ରହିବା ନିମନ୍ତେ ନିବେଦନ କରିବାକୁ ଲାଗିଲା;
39ମାତ୍ର ସେ ତାହାଙ୍କୁ ବିଦାୟ କରି କହିଲେ, ତୁମ୍ଭ ଘରକୁ ଫେରିଯାଅ, ପୁଣି, ଈଶ୍ୱର ତୁମ୍ଭ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି ସେହି ସବୁ ବର୍ଣ୍ଣନା କର । ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହି ସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା ।
40ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ ।
41ଆଉ, ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ନେତା ଥିଲେ । ସେ ଯୀଶୁଙ୍କ ପାଦ ତଳେ ପଡ଼ି ଆପଣା ଗୃହକୁ ଆସିବା ନିମନ୍ତେ ତାହାଙ୍କୁ ବିନତି କଲେ,
42କାରଣ ତାହାଙ୍କର ପ୍ରାୟ ବାର ବର୍ଷ ବୟସର ଏକମାତ୍ର କନ୍ୟା ଥିଲା, ଆଉ ସେ ମୃତପ୍ରାୟ ହୋଇଥିଲା । କିନ୍ତୁ ସେ ଯାଉଥିବା ସମୟରେ ଲୋକସମୂହ ତାହାଙ୍କ ଉପରେ ମାଡ଼ିପଡୁଥିଲେ ।
43ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା,
44ସେ ପଛଆଡ଼ୁ ଆସି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା, ଆଉ, ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା ।
45ସେଥିରେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା ? ମାତ୍ର ସମସ୍ତେ ଅସ୍ୱୀକାର କରନ୍ତେ, ପିତର କହିଲେ, ହେ ଗୁରୁ, ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି ।
46କିନ୍ତୁ ଯୀଶୁ କହିଲେ, କେହି ଜଣେ ମୋତେ ଛୁଇଁଲା, କାରଣ ମୋ’ ଠାରୁ ଶକ୍ତି ବାହାରିଗଲା ବୋଲି ମୁଁ ଜାଣିଲି ।
47ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା ।
48ସେଥିରେ ଯୀଶୁ ତାହାଙ୍କୁ କହିଲେ, ଝିଅ, ତୋହର ବିଶ୍ୱାସ ତତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା ।
49ସେ ଏହି କଥା କହୁଥିବା ସମୟରେ ସମାଜଗୃହର ନେତାଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ ।
50କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, ଭୟ କର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ ।
51ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ ।
52ମାତ୍ର ସମସ୍ତେ ତାହା ପାଇଁ ରୋଦନ କରୁ କରୁ ଛାତିରେ ମାରିହେଉଥିଲେ । ସେଥିରେ ସେ କହିଲେ, ରୋଦନ କର ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି ।
53କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ ।
54ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ ।