38ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା ।
39ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା ।
40ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି । ସେ କହିଲେ, ଗୁରୁ, କୁହନ୍ତୁ ।
41ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା ।
42ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ ?
43ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ । ସେ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ବିଚାର କଲ ।
44ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୁ ଦେଖୁଅଛ ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା ।
45ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ ।
46ତୁମ୍ଭେ ମୋହର ମସ୍ତକରେ ତେଲ ଲଗାଇଲ ନାହିଁ ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧିତ ତୈଳ ଲଗାଇଲା ।
47ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ ।
48ଆଉ ସେ ସେହି ସ୍ତ୍ରୀକୁ କହିଲେ, ତୋହର ପାପସବୁ କ୍ଷମା ହୋଇଅଛି ।
49ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ ?
50କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ ।