36ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ । ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
37ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,
38ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା ।
39ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା ।
40ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି । ସେ କହିଲେ, ଗୁରୁ, କୁହନ୍ତୁ ।
41ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା ।
42ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ ?
43ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ । ସେ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ବିଚାର କଲ ।
44ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୁ ଦେଖୁଅଛ ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା ।