Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 7

ଲୂକ 7:22-44

Help us?
Click on verse(s) to share them!
22ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠୀମାନେ ସୁସ୍ଥ ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
23ଆଉ, ଯେଉଁ ବ୍ୟକ୍ତି ମୋ'ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ ।
24ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କ'ଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କ'ଣ ପବନରେ ଦୋହଲୁଥିବା ଗୋଟିଏ ନଳ ?
25ତାହା ନ ହେଲେ ତୁମ୍ଭେମାନେ କ'ଣ ଦେଖିବା ପାଇଁ ବାହାରିଯାଇଥିଲ ? କ'ଣ ଦାମୀ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ? ଦେଖ, ଯେଉଁମାନେ ସୁନ୍ଦର ପୋଷାକ ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି ।
26ତାହା ନ ହେଲେ କ'ଣ ଦେଖିବା ନିମନ୍ତେ ବାହାରି ଯାଇଥିଲ ? କ'ଣ ଜଣେ ଭାବବାଦୀଙ୍କୁ ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ।
27ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।
28ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାଁନ୍ତି; ତଥାପି ଈଶ୍ୱରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ ।
29ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ୱରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;
30କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ୱରଙ୍କ ଯୋଜନା ଅଗ୍ରାହ୍ୟ କଲେ ।
31ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ ?
32ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି ।
33କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ସେ ଭୂତଗ୍ରସ୍ତ ।
34ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ ।
35ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନଙ୍କ ଦ୍ୱାରା ଉଚିତ ବୋଲି ପ୍ରମାଣିତ ହେଲା ।
36ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ । ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
37ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,
38ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧିତ ତୈଳ ଲଗାଇ ଦେବାକୁ ଲାଗିଲା ।
39ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା ।
40ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି । ସେ କହିଲେ, ଗୁରୁ, କୁହନ୍ତୁ ।
41ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା ।
42ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ ?
43ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ । ସେ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ବିଚାର କଲ ।
44ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକୁ ଦେଖୁଅଛ ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋର ପାଦ ଓଦା କରି ନିଜ କେଶରେ ତାହା ପୋଛିଦେଲା ।

Read ଲୂକ 7ଲୂକ 7
Compare ଲୂକ 7:22-44ଲୂକ 7:22-44