7ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ ।
8ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।
9ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ ।
10ଆଉ କୃଷକମାନେ ଯେପରି ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥି ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଖାଲି ହାତରେ ଫେରାଇଦେଲେ ।
11ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ;
12ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ ।
13ସେଥିରେ ଅଙ୍ଗୁର କ୍ଷେତ୍ରର ମାଲିକ କହିଲେ, ମୁଁ କ'ଣ କରିବି ? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ ।
14ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ ।
15ଆଉ ସେମାନେ ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ବାହାରେ ପକାଇ ବଧ କଲେ । ଅତଏବ ଅଙ୍ଗୁର କ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କ'ଣ କରିବେ ?
16ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଅଙ୍ଗୁର କ୍ଷେତ୍ର ଦେବେ । ଏହା ଶୁଣି ସେମାନେ କହିଲେ, ତାହା ନ ହେଉ ।
17କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତେବେ ଏହି ଯେଉଁ ବାକ୍ୟ ଲେଖା ଅଛି, ତାହାର ଅର୍ଥ କ'ଣ, ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା ?
18ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ ।
19ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୁର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ ।
20ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧିନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ ।
21ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି ।