5ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ ?
6କିନ୍ତୁ ଯଦି ମନୁଷ୍ୟଠାରେ ବୋଲି କହିବୁ, ତେବେ ଲୋକ ସମସ୍ତେ ଆମ୍ଭମାନଙ୍କୁ ପଥର ଫୋପାଡ଼ି ମାରିପକାଇବେ, କାରଣ ଯୋହନ ଯେ ଜଣେ ଭାବବାଦୀ, ଏହା ସେମାନଙ୍କର ଦୃଢ଼ ବିଶ୍ୱାସ ।
7ଏଣୁ ତାହା କେଉଁଠାରୁ ହେଲା, ଏହା ଜାଣି ନାହୁଁ ବୋଲି ସେମାନେ ଉତ୍ତର ଦେଲେ ।
8ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ।
9ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ ।
10ଆଉ କୃଷକମାନେ ଯେପରି ତାହାଙ୍କୁ ଅଙ୍ଗୁର କ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥି ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଖାଲି ହାତରେ ଫେରାଇଦେଲେ ।
11ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ;
12ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ ।
13ସେଥିରେ ଅଙ୍ଗୁର କ୍ଷେତ୍ରର ମାଲିକ କହିଲେ, ମୁଁ କ'ଣ କରିବି ? ମୋର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ ।