Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 1

ଲୂକ 1:33-75

Help us?
Click on verse(s) to share them!
33ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।
34କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ ? ମୁଁ ତ ପୁରୁଷକୁ ଜାଣେ ନାହିଁ ।
35ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।
36ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି । ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି;
37କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।
38ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋ' ପ୍ରତି ଘଟୁ । ତାହା ପରେ ଦୂତ ତାହାଙ୍କ ନିକଟରୁ ଗଲେ ।
39ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ,
40ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ ।
41ଆଉ, ଏଲୀଶାବେଥ ମରିୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
42ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ ।
43ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋ' ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା ?
44କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋ' କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ' ଗର୍ଭରେ ଉଲ୍ଲାସରେ ନାଚି ଉଠିଲା ।
45ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହି ସବୁ ସଫଳ ହେବ ।
46ଏଥିରେ ମରୀୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
47ପୁଣି, ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦିତ ହୋଇଅଛି;
48କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି । ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ,
49କାରଣ ଯେ ଶକ୍ତିମାନ, ସେ ମୋ' ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
50ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ ।
51ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଂକାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
52ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି,
53ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି ।
54ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,
55ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି ।
56ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ ।
57ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ,
58ଆଉ ପ୍ରଭୁ ଯେ ତାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ ।
59ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ ।
60କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ ।
61ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ ।
62ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ ।
63ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ । ଏଥିରେ ସମସ୍ତେ ଚକିତ ହେଲେ ।
64ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ୱରଙ୍କ ପ୍ରଶଂସା କରିବାକୁ ଲାଗିଲେ ।
65ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକୋହି ହେଲେ,
66ପୁଣି, ଶୁଣିବା ଲୋକ ସମସ୍ତେ ସେହି ସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କ’ଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ ।
67ଆଉ, ତାହାର ପିତା ଜିଖରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଭାବବାଣୀ କହିଲେ,
68ଧନ୍ୟ ପ୍ରଭୁ, ଇସ୍ରାଏଲର ଈଶ୍ୱର, କାରଣ ସେ କୃପାଦୃଷ୍ଟି କରି ଆପଣା ଲୋକଙ୍କ ନିମନ୍ତେ ମୁକ୍ତି ସାଧନ କରିଅଛନ୍ତି;
69ସେ ଆପଣା ଦାସ ଦାଉଦଙ୍କ ବଂଶରେ ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର ଶୃଙ୍ଗ ଉଠାଇ,
70ପ୍ରାଚୀନକାଳରୁ ଆପଣା ପବିତ୍ର ଭାବବାଦୀମାନଙ୍କ ମୁଖ ଦ୍ୱାରା ଯେପରି କହିଥିଲେ,
71ସେପରି ଆମ୍ଭମାନଙ୍କ ଶତ୍ରୁମାନଙ୍କଠାରୁ ଓ ଆମ୍ଭମାନଙ୍କ ସମସ୍ତ ଘୃଣାକାରୀଙ୍କ ହସ୍ତରୁ ପରିତ୍ରାଣ ସାଧନ କରିଅଛନ୍ତି,
72ଯେପରି ସେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,
73ଆମ୍ଭମାନଙ୍କ ପିତା ଅବ୍ରାହାମଙ୍କ ନିକଟରେ ଯେଉଁ ଶପଥ କରିଥିଲେ, ଆପଣାର ସେହି ପବିତ୍ର ନିୟମ ସ୍ମରଣ କରନ୍ତି,
74ପୁଣି, ଯେପରି ଶତ୍ରୁ ହସ୍ତରୁ ଉଦ୍ଧାର ପାଇ ନିର୍ଭୟରେ ଚିରକାଳ ତାହାଙ୍କ ଛାମୁରେ,
75ସାଧୁତା ଓ ଧାର୍ମିକତାରେ ତାହାଙ୍କର ଉପାସନା କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁଗ୍ରହ କରନ୍ତି ।

Read ଲୂକ 1ଲୂକ 1
Compare ଲୂକ 1:33-75ଲୂକ 1:33-75