18ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି ? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି ।
19ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ୱରଙ୍କ ଉପସ୍ଥିତିରେ ଠିଆ ହୁଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପଠାଯାଇଅଛି ।
20ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହି ସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ ।
21ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ ।
22କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ ।
23ପରେ ତାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ ।
24ଏଥିଉତ୍ତାରେ ତାହାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ,
25ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋ' ପ୍ରତି ଏପରି କରିଅଛନ୍ତି ।
26ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ୱରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ;
27ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ ।
28ସେ ଗୃହରେ ପ୍ରବେଶ କରି ତାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ ।
29କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲେ ।
30ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପାଇଅଛ ।
31ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ ।
32ସେ ମହାନ ହେବେ ଓ ମହାନ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ,
33ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।
34କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ ? ମୁଁ ତ ପୁରୁଷକୁ ଜାଣେ ନାହିଁ ।
35ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।
36ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି । ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି;
37କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।
38ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋ' ପ୍ରତି ଘଟୁ । ତାହା ପରେ ଦୂତ ତାହାଙ୍କ ନିକଟରୁ ଗଲେ ।
39ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ,
40ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ ।
41ଆଉ, ଏଲୀଶାବେଥ ମରିୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
42ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ ।
43ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋ' ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା ?