4କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ ।
5କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର ।
6ପାଞ୍ଚୋଟି ଘରଚଟିଆ କ'ଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ୱର ଭୁଲିଯାଆନ୍ତି ନାହିଁ ।
7କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଛି । ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।
8ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ;
9କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ତାହାକୁ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ ।
10ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ; ମାତ୍ର ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ ।
11ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କ'ଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ;
12କାରଣ କ'ଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ସମୟରେ ତୁମ୍ଭମାନଙ୍କୁ ଶିଖାଇବେ ।
13ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋ'ର ଭାଇକୁ ମୋ' ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ ।
14କିନ୍ତୁ ସେ ତାହାଙ୍କୁ କହିଲେ, ହେ ଭାଇ. କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା ?
15ପୁଣି, ସେ ସେମାନଙ୍କୁ କହିଲେ, ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।
16ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା ।
17ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କ'ଣ କରିବି ? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ ।
18ପୁଣି, ସେ କହିଲା, ଏହା କରିବି; ମୋର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି,
19ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;
20କିନ୍ତୁ ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହି ସବୁ କାହାର ହେବ ?
21ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ ।