Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 12

ଲୂକ 12:18-49

Help us?
Click on verse(s) to share them!
18ପୁଣି, ସେ କହିଲା, ଏହା କରିବି; ମୋର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି,
19ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;
20କିନ୍ତୁ ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହି ସବୁ କାହାର ହେବ ?
21ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ ।
22ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ ।
23କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ ।
24କାଉମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଭଣ୍ଡାରଘର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ !
25ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇ ପାରେ ?
26ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ ?
27ଫୁଲଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକ କିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ ।
28କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ !
29ପୁଣି, କ'ଣ ଖାଇବ ଓ କ'ଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ,
30କାରଣ ଜଗତର ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ପିତା ଜାଣନ୍ତି ।
31ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ ।
32ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କର ପିତାଙ୍କର ମହା ଆନନ୍ଦ ।
33ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର,
34କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ ।
35ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;
36ଆଉ ପ୍ରଭୁ ବିବାହ-ଉତ୍ସବରୁ ଫେରିଆସି ଦ୍ୱାରରେ ମାରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହିକ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ ।
37ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ, ସେମାନେ ଧନ୍ୟ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ ।
38ଆଉ ସେ ଯଦି ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହାହେଲେ ସେହି ଦାସମାନେ ଧନ୍ୟ ।
39କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ ।
40ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ ।
41ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି ?
42ପ୍ରଭୁ କହିଲେ, ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ ?
43ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ ।
44ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ ।
45କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ,
46ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ ।
47ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ,
48ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ । ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ ।
49ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କ'ଣ ବାଞ୍ଛା ?

Read ଲୂକ 12ଲୂକ 12
Compare ଲୂକ 12:18-49ଲୂକ 12:18-49