25ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି ?
26ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ କ'ଣ ଲେଖା ଅଛି ? ତୁମ୍ଭେ କିପରି ପାଠ କରୁଅଛ ?
27ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।
28ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ ।
29କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ ?
30ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, ଜଣେ ଲୋକ ଯିରୂଶାଲମରୁ ଯିରୀହୋକୁ ଯାଉ ଯାଉ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା । ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ ।
31ଘଟଣା ପରେପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ ।
32ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ ।
33କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ,
34ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତେଲ ଓ ଦ୍ରାକ୍ଷାରସ ଢ଼ାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ ।
35ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି ।
36ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡ଼ରେ ପଡିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ ?
37ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ । ଯୀଶୁ ତାହାଙ୍କୁ କହିଲେ, ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର ।
38ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ ।
39ତାହାଙ୍କର ଜଣେ ଭଉଣୀ ଥିଲେ ତାଙ୍କ ନାମ ମରିୟମ , ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ ।
40କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋ’ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କ'ଣ ଆପଣଙ୍କର ମନ ନାହିଁ ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ ।
41କିନ୍ତୁ ପ୍ରଭୁ ତାଙ୍କୁ କହିଲେ, ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ,