22ତେବେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ତାହାଙ୍କୁ ଆପଣା ଆପଣା ପାଇଁ ମନୋନୀତ କରିଅଛ, ଏ ବିଷୟରେ ତୁମ୍ଭେମାନେ ନିଜେ ନିଜେ ଆପଣାମାନଙ୍କ ପ୍ରତିକୂଳରେ ସାକ୍ଷୀ।” ତହିଁରେ ସେମାନେ କହିଲେ, “ଆମ୍ଭେମାନେ ସାକ୍ଷୀ।”
23ସେ କହିଲେ, “ତେବେ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି, ସେମାନଙ୍କୁ ଏବେ ବାହାର କରି ଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡ଼କୁ ଆପଣା ଆପଣା ହୃଦୟ ଡେର।”
24ତହିଁରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସେବା ଆମ୍ଭେମାନେ କରିବୁ ଓ ତାହାଙ୍କ ରବ ଶୁଣିବୁ।
25ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।