23ଆଉ, ସେ ତାକୁ ବଧ କଲେ; ତହୁଁ ମୋଶା ତାହାର କିଛି ରକ୍ତ ନେଇ ହାରୋଣଙ୍କର ଡାହାଣ କର୍ଣ୍ଣପ୍ରାନ୍ତରେ ଓ ତାଙ୍କର ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।
24ଏଥିଉତ୍ତାରେ ସେ ହାରୋଣଙ୍କର ପୁତ୍ରଗଣଙ୍କୁ ଆଣିଲେ, ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଡାହାଣ କର୍ଣ୍ଣପ୍ରାନ୍ତରେ ଓ ସେମାନଙ୍କ ଡାହାଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଡାହାଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ; ଆଉ ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।
25ପୁଣି, ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥ ସକଳ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଦୁଇ ଗୁର୍ଦା, ତହିଁର ମେଦ ଓ ଡାହାଣ ଜଙ୍ଘ ନେଲେ;
26ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ତାଡ଼ିଶୂନ୍ୟ ରୁଟିର ଟୋକେଇରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତୈଳଲେପିତ ରନ୍ଧନ ହୋଇଥିବା ରୁଟିର ଗୋଟିଏ ପିଠା ଓ ଗୋଟିଏ ସରୁ ଚକୁଳି ନେଇ ମେଦ ଓ ଡାହାଣ ଜଙ୍ଘ ଉପରେ ରଖିଲେ;
27ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହି ସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ।
28ଏଥିଉତ୍ତାରେ ମୋଶା ସେମାନଙ୍କ ହସ୍ତରୁ ସେହିସବୁ ନେଇ ବେଦିସ୍ଥିତ ହୋମବଳି ଉପରେ ଦଗ୍ଧ କଲେ; ଏହିସବୁ ତୁଷ୍ଟିଜନକ ଆଘ୍ରାଣାର୍ଥେ ପଦନିଯୋଗାର୍ଥକ ନୈବେଦ୍ୟ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।
29ଆଉ, ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ; ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
30ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳରୁ ଓ ବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ, ପୁଣି ତାଙ୍କ ସଙ୍ଗେ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସେଚନ କଲେ; ଆଉ ହାରୋଣଙ୍କୁ ଓ ତାଙ୍କର ବସ୍ତ୍ରସକଳକୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସେମାନଙ୍କ ବସ୍ତ୍ର ସକଳକୁ ପବିତ୍ର କଲେ।
31ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁର ଦ୍ୱାର ନିକଟରେ ମାଂସ ରନ୍ଧନ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,’ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଟୋକେଇରେ ଥିବା ରୁଟି ଭୋଜନ କର।
32ପୁଣି, ମାଂସ ଓ ରୁଟିରୁ ଯାହା ଅବଶିଷ୍ଟ ରହିବ, ତାହା ତୁମ୍ଭେମାନେ ଅଗ୍ନିରେ ଦଗ୍ଧ କରିବ।