32ପୁଣି ଆମ୍ଭେ ଦେଶକୁ ଶୂନ୍ୟସ୍ଥାନ କରିବା ଓ ତନ୍ନିବାସୀ ତୁମ୍ଭମାନଙ୍କ ଶତ୍ରୁଗଣ ତହିଁରେ ଆଶ୍ଚର୍ଯ୍ୟ ଜ୍ଞାନ କରିବେ।
33ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍ ଖଡ୍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ।
34ତେବେ ଯେପର୍ଯ୍ୟନ୍ତ ଦେଶ ଶୂନ୍ୟସ୍ଥାନ ହୋଇଥିବ ଓ ତୁମ୍ଭେମାନେ ଆପଣା ଶତ୍ରୁଗଣର ଦେଶରେ ରହିବ, ସେପର୍ଯ୍ୟନ୍ତ ଭୂମି ଆପଣା ବିଶ୍ରାମ ଗ୍ରହଣ କରିବ; ଅର୍ଥାତ୍, ସେହି ସମୟରେ ଭୂମି ବିଶ୍ରାମ କରି ଆପଣା ବିଶ୍ରାମ ଗ୍ରହଣ କରିବ।
35ଯେତେକାଳ ତାହା ଶୂନ୍ୟସ୍ଥାନ ହୋଇ ରହିବ, ସେତେକାଳ ତାହା ବିଶ୍ରାମ ପାଇବ; ଅର୍ଥାତ୍, ତୁମ୍ଭେମାନେ ତହିଁ ମଧ୍ୟରେ ବାସ କରିବା ସମୟରେ ତୁମ୍ଭମାନଙ୍କ ବିଶ୍ରାମ କାଳରେ ତାହା ଯେଉଁ ବିଶ୍ରାମ ପାଇ ନ ଥିଲା, ତାହା ପାଇବ।
36ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେତେ ଅବଶିଷ୍ଟ ରହିବେ, ଆମ୍ଭେ ଶତ୍ରୁଗଣର ଦେଶରେ ସେମାନଙ୍କ ହୃଦୟରେ ଭୀରୁତା ପଠାଇବା ଯଦ୍ଦ୍ୱାରା (ବାୟୁରେ) ଚାଳିତ ପତ୍ରର ଶବ୍ଦ ମଧ୍ୟ ସେମାନଙ୍କୁ ଘଉଡ଼ାଇ ଦେବ; ପୁଣି ଖଡ୍ଗଧାରରୁ ପଳାଇଲା ଲୋକ ପରି ସେମାନେ ପଳାଇବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ।
37ପୁଣି କେହି ନ ଗୋଡ଼ାଇଲେ ହେଁ ଯେପରି ଖଡ୍ଗ ସମ୍ମୁଖରେ, ସେପରି ସେମାନେ ପରସ୍ପର ଉପରେ ଝୁଣ୍ଟି ପଡ଼ିବେ ଓ ଶତ୍ରୁଗଣ ସମ୍ମୁଖରେ ଠିଆ ହେବା ପାଇଁ ସେମାନଙ୍କର ବଳ ପାଇବ ନାହିଁ।
38ଆଉ ତୁମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କ ମଧ୍ୟରେ ବିନଷ୍ଟ ହେବ ଓ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶ ତୁମ୍ଭମାନଙ୍କୁ ଗ୍ରାସ କରିବ।
39ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ଆପଣା ଆପଣା ଅପରାଧ ସକାଶୁ ତୁମ୍ଭମାନଙ୍କ ଶତ୍ରୁଗଣର ଦେଶରେ କ୍ଷୟ ପାଇବେ ଓ ମଧ୍ୟ ସେମାନେ ଆପଣା ଆପଣା ପିତୃଗଣର ଅପରାଧ ସକାଶୁ ସେମାନଙ୍କ ସଙ୍ଗରେ କ୍ଷୟ ପାଇବେ।
40ଆଉ ଆମ୍ଭ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ସେମାନେ ଓ ସେମାନଙ୍କ ପିତୃଗଣ ଯେଉଁ ସତ୍ୟ-ଲଙ୍ଘନ ଅପରାଧ କଲେ, ଆପଣାମାନଙ୍କର ସେହି ଅପରାଧ;
41ଓ ମଧ୍ୟ ସେମାନେ ଆମ୍ଭର ବିରୁଦ୍ଧାଚରଣ କରିବା ହେତୁ ଆମ୍ଭେ ହିଁ ଯେ ସେମାନଙ୍କର ବିରୁଦ୍ଧାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ; ତହିଁରେ ଯଦି ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ;
42ତେବେ ଆମ୍ଭେ ଯାକୁବ ସହିତ ଆପଣା ନିୟମ ସ୍ମରଣ କରିବା ଓ ମଧ୍ୟ ଇସ୍ହାକ ସହିତ ଆପଣା ନିୟମ ଓ ମଧ୍ୟ ଅବ୍ରହାମ ସହିତ ଆପଣା ନିୟମ ସ୍ମରଣ କରିବା; ପୁଣି ଆମ୍ଭେ ଦେଶକୁ ସ୍ମରଣ କରିବା।
43ଦେଶ ମଧ୍ୟ ସେମାନଙ୍କ ଦ୍ୱାରା ତ୍ୟକ୍ତ ହୋଇ ରହିବ ଓ ସେମାନଙ୍କ ଅନୁପସ୍ଥିତିରେ ଶୂନ୍ୟସ୍ଥାନ ହୋଇ ପଡ଼ିଥିବା ସମୟରେ ଆପଣା ବିଶ୍ରାମ ଗ୍ରହଣ କରିବ; ପୁଣି ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ; ଏଥିର କାରଣ ଏହି ଯେ, ସେମାନେ ଆମ୍ଭର ଆଜ୍ଞା ଅଗ୍ରାହ୍ୟ କଲେ ଓ ସେମାନଙ୍କ ପ୍ରାଣ ଆମ୍ଭ ବିଧି ଘୃଣା କଲା।
44ତଥାପି ଏହିସବୁ କାରଣରୁ, ସେମାନେ ଆପଣାମାନଙ୍କ ଶତ୍ରୁଗଣର ଦେଶରେ ଥିବା ସମୟରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ନିମନ୍ତେ ଓ ସେମାନଙ୍କ ସହିତ ଆପଣା ନିୟମ ଭାଙ୍ଗିବା ନିମନ୍ତେ ସେମାନଙ୍କୁ ଅଗ୍ରାହ୍ୟ କରିବା ନାହିଁ, କିଅବା ସେମାନଙ୍କୁ ଘୃଣା କରିବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟୁ।
45ମାତ୍ର ଆମ୍ଭେ ସେମାନଙ୍କ ଲାଗି ସେମାନଙ୍କ ପୂର୍ବପୁରୁଷମାନଙ୍କ ସହିତ କରିଥିବା ଆପଣା ନିୟମ ସ୍ମରଣ କରିବା, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ନିମନ୍ତେ ଅନ୍ୟ ଦେଶୀୟ ଲୋକମାନଙ୍କ ସାକ୍ଷାତରେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ଆମ୍ଭେ ସଦାପ୍ରଭୁ ଅଟୁ।”