14ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ।
15ଏହିରୂପେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହା ସବୁ ଅପବିତ୍ର କରିବେ ନାହିଁ।
16ପୁଣି, ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ; କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ।”
17ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
18“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ଇସ୍ରାଏଲ ବଂଶ କିଅବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ଵେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି,
19ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂ ପଶୁ ଉତ୍ସର୍ଗ କରିବେ।
20ମାତ୍ର ଯାହାର ଖୁଣ ଥାଏ, ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ; କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ।
21ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗ ପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ।