Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:8-44

Help us?
Click on verse(s) to share them!
8ତହିଁରେ କାଛୁକୁଣ୍ଡିଆ ତାହାର ଚର୍ମରେ ବ୍ୟାପିଲା, ଏପରି ଯଦି ଯାଜକ ଦେଖେ, ତେବେ ସେ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, କାରଣ ତାହା କୁଷ୍ଠରୋଗ ଅଟେ।
9କୌଣସି ମନୁଷ୍ୟଠାରେ କୁଷ୍ଠରୋଗର ଘା’ ହେଲେ, ସେ ଯାଜକ ନିକଟକୁ ଅଣାଯିବ;
10ତହୁଁ ଯାଜକ ତାହାକୁ ଦେଖିବ; ଆଉ, ଯଦି ତାହାର ଚର୍ମରେ ଶ୍ଵେତବର୍ଣ୍ଣ ଫୁଲା ଥାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚା ମାଂସ ବୃଦ୍ଧି ପାଉଥାଏ,
11ତେବେ ତାହାର ଶରୀରର ଚର୍ମରେ ତାହା ପୁରାତନ କୁଷ୍ଠରୋଗ ଅଟେ, ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେ ତାହାକୁ ରୁଦ୍ଧ କରିବ ନାହିଁ, କାରଣ ସେ ଅଶୁଚି।
12ଆଉ, ଯଦି କୁଷ୍ଠ ରୋଗ ଚର୍ମରେ ଫୁଟି ବାହାରେ ଓ ଯେତେ ଦୂର ଯାଜକକୁ ଦେଖାଯାଏ, ତଦନୁସାରେ ଘା’ଯୁକ୍ତ ଲୋକର ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ଚର୍ମ କୁଷ୍ଠରୋଗରେ ଆଚ୍ଛନ୍ନ ହୋଇଥାଏ,
13ତେବେ ଯାଜକ ଦେଖିବ; ପୁଣି, ଯଦି କୁଷ୍ଠରୋଗ ତାହାର ସର୍ବାଙ୍ଗ ଆଚ୍ଛନ୍ନ କରିଥାଏ, ତେବେ ସେ ରୋଗୀକୁ ଶୁଚି ବୋଲି ପ୍ରକାଶ କରିବ; ସର୍ବାଙ୍ଗ ଶ୍ଵେତବର୍ଣ୍ଣ ହୋଇଅଛି; ସେ ଶୁଚି ଅଟେ।
14ମାତ୍ର ଯେତେବେଳେ କଞ୍ଚା ମାଂସ ତାହା ଦେହରେ ପ୍ରକାଶ ପାଏ, ସେତେବେଳେ ସେ ଅଶୁଚି ହେବ।
15ଆଉ, ଯାଜକ ସେହି କଞ୍ଚା ମାଂସ ଦେଖି ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେହି କଞ୍ଚା ମାଂସ ଅଶୁଚି; ତାହା କୁଷ୍ଠରୋଗ।
16ଅଥବା ଯଦି ସେହି କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ଵେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଯିବ,
17ଆଉ, ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯଦି ସେହି ଘା’ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ସେ ଘା’ଯୁକ୍ତ ଲୋକକୁ ଶୁଚି ବୋଲି ପ୍ରକାଶ କରିବ; ସେ ଶୁଚି ଅଟେ।
18ଆଉ ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ଉତ୍ତାରେ,
19ଯଦି ସେହି ବଥ ସ୍ଥାନରେ ଶ୍ଵେତବର୍ଣ୍ଣ ଫୁଲା ଅବା ରକ୍ତ ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ତାହା ଯାଜକକୁ ଦେଖାଇବ;
20ତହିଁରେ ଯାଜକ ତାହା ଦେଖିବ, ଆଉ, ଯଦି ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ବଥରୁ ଉତ୍ପନ୍ନ କୁଷ୍ଠରୋଗର ଘା’ ଅଟେ।
21ମାତ୍ର ଯାଜକ ତାହା ଦେଖନ୍ତେ, ଯଦି, ତହିଁରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ୍ କରି ରଖିବ।
22ଆଉ, ଯଦି ତାହା ଚର୍ମରେ ବ୍ୟାପେ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; କାରଣ ତାହା କୁଷ୍ଠରୋଗର ଘା’ ଅଟେ।
23ମାତ୍ର ଯଦି ସେହି ଚିକ୍କଣ ଚିହ୍ନ ସ୍ୱସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
24କିଅବା ଯଦି ମାଂସର ଚର୍ମରେ ଅଗ୍ନିଦାହ ହୁଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତ ଶ୍ଵେତବର୍ଣ୍ଣ ଅବା ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ;
25ତେବେ ଯାଜକ ତାହା ଦେଖିବ; ଆଉ, ଯଦି ଚିକ୍କଣ ଚିହ୍ନରେ ଥିବା ଲୋମ ଶ୍ଵେତବର୍ଣ୍ଣ ହୁଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠ ରୋଗ, ତାହା ଅଗ୍ନିଦାହରୁ ଉତ୍ପନ୍ନ ହୋଇଅଛି; ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠରୋଗର ଘା’ ଅଟେ।
26ମାତ୍ର ଯାଜକ ତାହା ଦେଖନ୍ତେ, ଯଦି ସେହି ଚିକ୍କଣ ଚିହ୍ନରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ୍ କରି ରଖିବ।
27ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ଯଦି ତାହା ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠରୋଗର ଘା’ ଅଟେ।
28ଆଉ, ଯଦି ଚିକ୍କଣ ଚିହ୍ନ ସ୍ୱସ୍ଥାନରେ ଥାଏ ଓ ଚର୍ମରେ ବୃଦ୍ଧି ନ ପାଇ ମଳିନ ହୋଇଥାଏ; ତେବେ ତାହା ଦାହର ଫୁଲା, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ଯେହେତୁ ତାହା ଅଗ୍ନିକୃତ କ୍ଷତର ଚିହ୍ନ।
29ଆଉ, ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା’ ହେଲେ ଯାଜକ ସେହି ଘା’ ଦେଖିବ;
30ଆଉ ଦେଖ, ଯଦି ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁରେ ହଳଦି ବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଛଉ ଅଟେ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ ଅଟେ।
31ଆଉ, ଯାଜକ ଛଉର ଘା’ ଦେଖନ୍ତେ, ଯଦି ତାହା ଚର୍ମର ନୀଚସ୍ଥ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଛଉ ଘା’ଯୁକ୍ତ ଲୋକକୁ ସାତ ଦିନ ପର୍ଯ୍ୟନ୍ତ ପୃଥକ୍ କରି ରଖିବ।
32ତହୁଁ ସପ୍ତମ ଦିନରେ ଯାଜକ ତାହା ଦେଖିବ; ପୁଣି, ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦି ବର୍ଣ୍ଣ ଲୋମ ହୋଇ ନ ଥାଏ; ଆଉ, ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ,
33ତେବେ ସେ ଲଣ୍ଡା ହେବ, ମାତ୍ର ଛଉ ସ୍ଥାନ ଲଣ୍ଡା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ପର୍ଯ୍ୟନ୍ତ ପୃଥକ୍ କରି ରଖିବ।
34ପୁଣି, ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ; ଆଉ, ଯଦି ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ।
35ମାତ୍ର ତାହାର ଶୁଚି ହେଲା ଉତ୍ତାରେ ଯଦି ଚର୍ମରେ ସେହି ଛଉ ବ୍ୟାପିଯାଏ,
36ତେବେ ଯାଜକ ତାହାକୁ ଦେଖିବ; ପୁଣି, ଯଦି ଛଉ ଚର୍ମରେ ବୃଦ୍ଧି ପାଇଥାଏ, ତେବେ ଯାଜକ ହଳଦି ବର୍ଣ୍ଣ ଲୋମର ଅନ୍ୱେଷଣ କରିବ ନାହିଁ; କାରଣ ସେ ଅଶୁଚି ଅଟେ।
37ମାତ୍ର ତାହାର ଦୃଷ୍ଟିରେ ଯଦି ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉର ଆରୋଗ୍ୟ ହୋଇଅଛି; ସେ ଶୁଚି ହୋଇଅଛି; ଆଉ, ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
38ପୁଣି, ଯଦି କୌଣସି ପୁରୁଷ କି ସ୍ତ୍ରୀର ଶରୀରର ଚର୍ମରେ ଚିକ୍କଣ ଚିହ୍ନଗୁଡ଼ିକ, ଅର୍ଥାତ୍‍, ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନଗୁଡ଼ିକ ହୁଏ;
39ତେବେ ଯାଜକ ତାହା ଦେଖିବ; ପୁଣି ପ୍ରକୃତରେ, ଯଦି ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ଵେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ ଜାଦୁରୋଗ; ସେ ଲୋକ ଶୁଚି ଅଟେ।
40ଆଉ, ଯଦି କୌଣସି ମନୁଷ୍ୟର ମସ୍ତକରୁ କେଶ ଉପୁଡ଼ିଯାଏ, ତେବେ ସେ ଚନ୍ଦା; ତଥାପି ସେ ଶୁଚି ଅଟେ।
41ଆଉ, ଯଦି ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା କପାଳ; ତଥାପି ସେ ଶୁଚି ଅଟେ।
42ମାତ୍ର ଯଦି ଚନ୍ଦା ମସ୍ତକରେ କି ଚନ୍ଦା କପାଳରେ ରକ୍ତ ଶ୍ଵେତବର୍ଣ୍ଣ ଘା’ ହୁଏ; ତେବେ ତାହା ତାହାର ଚନ୍ଦା ମସ୍ତକରେ କି ଚନ୍ଦା କପାଳରେ ଉତ୍ପନ୍ନ କୁଷ୍ଠରୋଗ ଅଟେ।
43ତହୁଁ ଯାଜକ ତାହା ଦେଖିବ; ପୁଣି, ଯଦି ଶରୀରର ଚର୍ମସ୍ଥିତ କୁଷ୍ଠରୋଗ ପରି ଚନ୍ଦା ମସ୍ତକ କି ଚନ୍ଦା କପାଳରେ ରକ୍ତ ଶ୍ଵେତବର୍ଣ୍ଣ ଘା’ର ଫୁଲା ଦେଖାଯାଏ;
44ତେବେ ସେ କୁଷ୍ଠୀ, ସେ ଅଶୁଚି ଅଟେ; ଯାଜକ ତାହାକୁ ଅବଶ୍ୟ ଅଶୁଚି ବୋଲି ପ୍ରକାଶ କରିବ; ତାହାର ମସ୍ତକରେ ଘା’ ହୋଇଅଛି।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:8-44ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:8-44