14ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶ।
15ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଉପହାରର ଜଙ୍ଘ ଓ ଦୋଳନୀୟ ନୈବେଦ୍ୟର ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।”
16ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ,
17“ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ ? ତାହା ତ ମହାପବିତ୍ର, ପୁଣି ମଣ୍ଡଳୀର ଅପରାଧ ବୋହି ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ତାହା ତୁମ୍ଭମାନଙ୍କୁ ଦେଇଅଛନ୍ତି।
18ଦେଖ, ପବିତ୍ର ସ୍ଥାନ ଭିତରକୁ ତାହାର ରକ୍ତ ଅଣାଗଲା ନାହିଁ; ଯେପରି ଆମ୍ଭେ ଆଜ୍ଞା ଦେଇଥିଲୁ, ସେପରି ତୁମ୍ଭେମାନେ ପବିତ୍ର ସ୍ଥାନରେ ତାହା ତ ଭୋଜନ କରିଥା’ନ୍ତ।”
19ତେବେ ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ପାପାର୍ଥକ ବଳି ଓ ଆପଣାମାନଙ୍କର ହୋମାର୍ଥକ ବଳି ଉତ୍ସର୍ଗ କଲେ, ତଥାପି ମୋ’ ପ୍ରତି ଏପରି ଘଟିଲା; ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା’ନ୍ତି, ତେବେ ତାହା କି ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥା’ନ୍ତା ?”
20ତହୁଁ ମୋଶା ତାହା ଶୁଣନ୍ତେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା।