Text copied!
CopyCompare
ଓଡିଆ ବାଇବେଲ - ମାଥିଉ

ମାଥିଉ 5

Help us?
Click on verse(s) to share them!
1ଲୋକମାନଙ୍କୁ ଦେଖି ଯୀଶୁ ପର୍ବତ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ ।
2ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ,
3ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।
4ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ ।
5ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ ।
6ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ ।
7ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ ।
8ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ ।
9ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ ହେବେ ।
10ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।
11ଲୋକେ ଯେବେ ତୁମ୍ଭମାନଙ୍କୁ ମୋ' ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ ।
12ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ ।
13ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ ।
14ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ;
15କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକକୁ ଆଲୋକ ଦିଏ ।
16ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।
17ମୁଁ ଯେ ମୋଶାଙ୍କ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି, ଏପରି ଭାବ ନାହିଁ; ଲୋପ କରିବାକୁ ଆସି ନାହିଁ ବରଂ ସଫଳ କରିବାକୁ ଆସିଅଛି ।
18କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ମୋଶାଙ୍କ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।

19ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ମାନେ ନାହିଁ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ ।
20କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ ।
21ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ନରହତ୍ୟା କର ନାହିଁ, ଆଉ ଯେ କେହି ନରହତ୍ୟା କରେ ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ ।
22କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ । ପୁଣି, ଯେ କେହି ଆପଣା ଭାଇ କି ମୂର୍ଖ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ପାଷାଣ୍ଡ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ ।
23ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ,
24ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର ।
25ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ ।
26ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସି ପାରିବ ନାହିଁ ।
27ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ବ୍ୟଭିଚାର କର ନାହିଁ ।
28କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି ।
29ଆଉ ତୁମ୍ଭ ଦକ୍ଷିଣ ଚକ୍ଷୁ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ ।
30ପୁଣି, ତୁମ୍ଭର ଦକ୍ଷିଣ ହସ୍ତ ଯେବେ ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ, କାରଣ ତୁମ୍ଭର ସମସ୍ତ ଶରୀର ନର୍କରେ ପଡ଼ିବା ଅପେକ୍ଷା ଗୋଟିଏ ଅଙ୍ଗ ନଷ୍ଟ ହେବା ତୁମ୍ଭ ପକ୍ଷରେ ଲାଭଜନକ ।
31ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରେ, ସେ ତାହାକୁ ଛାଡ଼ପତ୍ର ଦେଉ ।
32କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ, ସେ ତାହାକୁ ବ୍ୟଭିଚାରିଣୀ କରାଏ; ଆଉ ଯେ କେହି ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।
33ପୁଣି, ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ତୁମ୍ଭେ ମିଥ୍ୟା ଶପଥ କର ନାହିଁ ମାତ୍ର ଆପଣା ଶପଥସବୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଳନ କରିବ ।
34କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଦୌ ଶପଥ କର ନାହିଁ; ସ୍ୱର୍ଗର ଶପଥ କର ନାହିଁ, କାରଣ ତାହା ଈଶ୍ୱରଙ୍କ ସିଂହାସନ;
35କିମ୍ବା ପୃଥିବୀର ଶପଥ କର ନାହିଁ, କାରଣ ତାହା ତାହାଙ୍କର ପାଦପୀଠ; ଯିରୂଶାଲମର ଶପଥ କର ନାହିଁ, କାରଣ ତାହା ମହାରାଜାଙ୍କ ନଗରୀ;
36ଅବା ଆପଣା ମସ୍ତକର ଶପଥ କର ନାହିଁ, କାରଣ ତାହାର ଗୋଟିଏ କେଶ ଧଳା ବା କଳା କରିବାକୁ ତୁମ୍ଭର ଶକ୍ତି ନାହିଁ ।

37କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ ।
38ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ଚକ୍ଷୁର ପରିବର୍ତ୍ତେ ଚକ୍ଷୁ ଓ ଦନ୍ତର ପରିବର୍ତ୍ତେ ଦନ୍ତ;
39କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ ।
40ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ଚାଦର ମଧ୍ୟ ଦେଇଦିଅ ।
41ପୁଣି, ଯେ କେହି ତୁମ୍ଭକୁ କୋଶେ ଯିବା ପାଇଁ ବାଧ୍ୟ କରେ, ତାହା ସାଙ୍ଗରେ ଦୁଇ କୋଶ ଯାଅ ।
42ଯେ ତୁମ୍ଭକୁ ମାଗେ, ତାହାକୁ ଦିଅ, ପୁଣି, ଯେ ତୁମ୍ଭଠାରୁ ଋଣ ନେବାକୁ ଇଚ୍ଛା କରେ, ତାହା ପ୍ରତି ବିମୁଖ ହୁଅ ନାହିଁ ।
43ତୁମ୍ଭେମାନେ ଶୁଣିଅଛ, ଉକ୍ତ ଅଛି, ତୁମ୍ଭର ପ୍ରତିବାସୀକୁ ପ୍ରେମ କର ଓ ତୁମ୍ଭର ଶତ୍ରୁକୁ ଘୃଣା କର ।
44କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
45ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ; ସେ ତ ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି, ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି ।
46ଆଉ ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ପୁରସ୍କାର ? କରଗ୍ରାହୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ ?
47ଆଉ ତୁମ୍ଭେମାନେ ଯଦି କେବଳ ନିଜ ନିଜ ଭାଇମାନଙ୍କୁ ନମସ୍କାର କର, ତେବେ ଅଧିକ କଅଣ କର ? ଅଣଯିହୂଦୀମାନେ ସୁଦ୍ଧା କ'ଣ ତାହା କରନ୍ତି ନାହିଁ ?
48ଅତଏବ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।