2ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ,
3ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ,ଏହାର ସ୍ପଷ୍ଟ ପ୍ରମାଣ ଦେଲେ ।
4ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୂଦୀମତାବଲମ୍ବୀ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।
5କିନ୍ତୁ ଯିହୂଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ ।
6ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରି ପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି ।
7ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି ।
8ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ ।
9ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ି ଦେଲେ ।
10ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟାକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୂଦୀମାନଙ୍କ ସମାଜଗୃହକୁ ଗଲେ ।
11ଥେସଲନୀକୀରେ ଥିବା ଯିହୂଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ । ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ ।
12ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ ।