28ଆଉ ପ୍ରାଣଦଣ୍ଡର କୌଣସି କାରଣ ନ ପାଇଲେ ସୁଦ୍ଧା ତାହାଙ୍କୁ ବଧ କରିବା ନିମନ୍ତେ ପୀଲାତଙ୍କୁ ନିବେଦନ କଲେ ।
29ପୁଣି, ତାହାଙ୍କ ବିଷୟରେ ଯାହାସବୁ ଲେଖା ଅଛି, ସେ ସମସ୍ତ ପୂର୍ଣ୍ଣ କଲା ଉତ୍ତାରେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ସମାଧିରେ ରଖିଦେଲେ ।
30କିନ୍ତୁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ,
31ପୁଣି, ଯେଉଁମାନେ ତାହାଙ୍କ ସହିତ ଗାଲିଲୀରୁ ଯିରୂଶାଲମକୁ ଆସିଥିଲେ, ସେମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କ ଦର୍ଶନ ପାଇଲେ; ସେମାନେ ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ ।
32ଆଉ ପିତୃପୁରୁଷମାନଙ୍କ ନିକଟରେ କୃତ ପ୍ରତିଜ୍ଞା ବିଷୟରେ ଆମ୍ଭେମାନେ ଆପଣମାନଙ୍କୁ ଏହି ସୁସମାଚାର ଜଣାଉଅଛୁ ଯେ,
33ଈଶ୍ୱର ଯୀଶୁଙ୍କୁ ଉତ୍ଥାପନ କରି ସେମାନଙ୍କର ସନ୍ତାନ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପ୍ରତି ସେହି ପ୍ରତିଜ୍ଞା ସଫଳ କରିଅଛନ୍ତି, ଯେପରି ଗୀତସଂହିତା ଦୁଇ ଅଧ୍ୟାୟରେ ମଧ୍ୟ ଲେଖା ଅଛି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ" ।
34ସେ ଯେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି; ପୁଣି, ସେ ଯେ ଆଉ କ୍ଷୟସ୍ଥାନକୁ ଫେରିବେ ନାହିଁ, ଏବିଷୟରେ ସେ ଏହି ପ୍ରକାର କହିଅଛନ୍ତି, ଆମ୍ଭେ ଦାଉଦଙ୍କ ନିକଟରେ ପ୍ରତିଜ୍ଞାତ ପବିତ୍ର ଓ ଅଟଳ ଆଶୀର୍ବାଦ ସବୁ ତୁମ୍ଭମାନଙ୍କୁ ପ୍ରଦାନ କରିବା ।
35ପୁଣି, ସେ ମଧ୍ୟ ଆଉ ଗୋଟିଏ ଗୀତସଂହିତାରେ କହିଅଛନ୍ତି, ''ତୁମ୍ଭେ ଆପଣା ପବିତ୍ର ଜଣକୁ କ୍ଷୟ ପାଇବାକୁ ଦେବ ନାହିଁ ।''
36ଦାଉଦ ତ ଆପଣା ସମକାଳୀନ ଲୋକମାନଙ୍କ ମଧ୍ୟରେ ଈଶ୍ୱରଙ୍କର ସଙ୍କଳ୍ପ ଅନୁସାରେ ସେବକର କାର୍ଯ୍ୟ କଲା ଉତ୍ତାରେ ମହାନିଦ୍ରାପ୍ରାପ୍ତ ହେଲେ ଏବଂ ଆପଣା ପିତୃପୁରୁଷମାନଙ୍କ ନିକଟରେ ସମାଧିସ୍ଥ ହୋଇ କ୍ଷୟ ପାଇଲେ;
37କିନ୍ତୁ ଯାହାଙ୍କୁ ଈଶ୍ୱର ଉଠାଇଅଛନ୍ତି, ସେ କ୍ଷୟ ପାଇ ନାହାଁନ୍ତି ।