3ତାଙ୍କ ବାମ ହସ୍ତ ମୋ’ ମସ୍ତକ ତଳେ ରହିବ ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ।
4ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ, ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।
5ଆପଣା ପ୍ରିୟତମଙ୍କ ଉପରେ ଆଉଜି ପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
6ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା।
7ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ; ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ, ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।
8ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି, ତାହାର ସ୍ତନ ହୋଇ ନାହିଁ; ଲୋକେ ଆମ୍ଭମାନଙ୍କ ଭଗିନୀକି ମାଗିବା ଦିନରେ ଆମ୍ଭେମାନେ ତାହା ପାଇଁ କଅଣ କରିବା ?
9ଯଦି ସେ ପ୍ରାଚୀର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା; ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ, ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା।
10ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ; ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି।
11ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା; ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ; ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା।
12ମୋହର ଦ୍ରାକ୍ଷାକ୍ଷେତ୍ର ମୋ’ ସମ୍ମୁଖରେ ଅଛି; ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।
13ହେ ଉପବନବାସିନୀ, ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି; ତାହା ମୋତେ ଶ୍ରବଣ କରାଅ।
14ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ, ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ ତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।