2ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର; କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ।
3ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ; ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ୱରୂପ; ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି।
4ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା; ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି; ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା; ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି।
5ହେ ଯିରୂଶାଲମର କନ୍ୟାଗଣ, ମୁଁ କେଦାରର ତମ୍ବୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣା, ତଥାପି ସୁନ୍ଦରୀ।
6ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋ’ ପ୍ରତି କୁଦୃଷ୍ଟି କର ନାହିଁ। ମୋ’ ମାତାର ସନ୍ତାନଗଣ ମୋ’ ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ; ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ।
7ହେ ମୋ’ ପ୍ରାଣର ପ୍ରିୟତମ, ତୁମ୍ଭେ କେଉଁଠାରେ ଆପଣା ପଲ ଚରାଉଅଛ, ମଧ୍ୟାହ୍ନ କାଳେ ଯେଉଁଠାରେ ଶୟନ କରାଉଅଛ, ତାହା ମୋତେ ଜଣାଅ; କାରଣ ତୁମ୍ଭ ସଖାଗଣର ପଲ ନିକଟରେ ମୁଁ କାହିଁକି ଆବରକ ବସ୍ତ୍ର ପରିଧାନକାରିଣୀ ତୁଲ୍ୟ ହେବି ?
8ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ, ଯଦି ତୁମ୍ଭେ ନ ଜାଣ, ତେବେ ତୁମ୍ଭେ ପଲର ପଦଚିହ୍ନ ଧରି ଗମନ କର ଓ ମେଷପାଳକମାନଙ୍କ ତମ୍ବୁ ନିକଟରେ ଆପଣା ଛେଳିଛୁଆମାନଙ୍କୁ ଚରାଅ।
9ହେ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ୱିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି।
10ତୁମ୍ଭର ଗାଲ ଅଳଙ୍କାରରେ ସଜ୍ଜିତ, ତୁମ୍ଭ ଗଳଦେଶ ରତ୍ନହାରରେ ସୁଶୋଭିତ।
11ଆମ୍ଭେ ତୁମ୍ଭ ପାଇଁ ରୂପା ଭୁଣ୍ଡିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା।