Text copied!
CopyCompare
ଓଡିଆ ବାଇବେଲ - ଗାଲାତୀୟ

ଗାଲାତୀୟ 5

Help us?
Click on verse(s) to share them!
1ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି; ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଯୁଆଳିରେ ଆଉ ଥରେ ଯୋଚା ନ ଯାଅ ।
2ଦେଖ, ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ ।
3ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ ।
4ତୁମ୍ଭେମାନେ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ ।
5କାରଣ ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ ।
6ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର ।
7ତୁମ୍ଭେମାନେ ତ ଉତ୍ତମ ରୂପେ ଦୌଡ଼ୁଥିଲ; କିଏ ତୁମ୍ଭମାନଙ୍କୁ ବାଧା ଦେଲା ଯେ, ସତ୍ୟର ଅବାଧ୍ୟ ହୋଇଅଛ ?
8ତୁମ୍ଭମାନଙ୍କ ଆହ୍ୱାନକର୍ତ୍ତାଙ୍କଠାରୁ ଏହି ପ୍ରବର୍ତ୍ତନା ଆସି ନାହିଁ ।
9ଅଳ୍ପ ଖମୀର ପିଣ୍ଡୁଳାଯାକ ଖମୀରମୟ କରିଦିଏ ।
10ତୁମ୍ଭେମାନେ ଯେ ଅନ୍ୟ ପ୍ରକାର ବିଚାର କରିବ ନାହିଁ, ଏହା ମୁଁ ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଦୃଢ଼ ବିଶ୍ୱାସ କରୁଅଛି; କିନ୍ତୁ ଯେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛି, ସେ ଯେ କେହି ହେଉ, ଆପଣାର ଦଣ୍ଡ ବହନ କରିବ ।
11କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି ? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ ।
12ଯେଉଁମାନେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ, ଭଲ ହୁଅନ୍ତା ।
13କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ୱାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ୱରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପରର ସେବା କର ।
14କାରଣ ସମସ୍ତ ମୋଶାଙ୍କ ବ୍ୟବସ୍ଥା ଏହି ଗୋଟିଏ ବାକ୍ୟରେ ସିଦ୍ଧ ହୁଏ, "ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।''
15କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ାକାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ ।
16ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହାହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ ।
17କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ; ଫଳତଃ ତୁମ୍ଭେମାନେ ଯାହା ଯାହା ଇଚ୍ଛା କର, ସେହି ସବୁ କରି ପାର ନାହିଁ ।
18କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ ।

19ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟରୂପେ ଜଣା: ବ୍ୟଭିଚାର, ଅଶୁଚିତା
20କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,
21ମତ୍ତତା, ରଙ୍ଗରସ, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ; ମୁଁ ପୂର୍ବରେ ଯେପରି ତୁମ୍ଭମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହି ସବୁପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।
22କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁୁତା, ପରୋପକାରିତା,
23ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ; ଏହି ସମସ୍ତ ବିରୁଦ୍ଧରେ କୌଣସି ମୋଶାଙ୍କ ବ୍ୟବସ୍ଥା ନାହିଁ ।
24ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କ୍ରୁଶରେ ହତ କରିଅଛନ୍ତି ।
25ଯଦି ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ, ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ ।
26ଆମ୍ଭେମାନେ ବୃଥା ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ ।