11ଜ୍ଞାନ ପୈତୃକ ଅଧିକାରର ତୁଲ୍ୟ ଉତ୍ତମ; ଆହୁରି, ସୂର୍ଯ୍ୟଦର୍ଶୀ ଲୋକମାନଙ୍କ ପ୍ରତି ତାହା ଅଧିକ ଶ୍ରେଷ୍ଠ।
12କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେପରି ଆଶ୍ରୟ ସ୍ୱରୂପ ଅଟେ; ମାତ୍ର ବିଦ୍ୟାର ଶ୍ରେଷ୍ଠତା ଏହି ଯେ, ଜ୍ଞାନ ଆପଣା ଅଧିକାରୀର ଜୀବନ ରକ୍ଷା କରେ।
13ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର; କାରଣ ସେ ଯାହା ବଙ୍କା କରିଅଛନ୍ତି, କିଏ ତାହା ସଳଖ କରି ପାରେ ?
14ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର; ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ, ତାହା ଯେପରି ସେ ଜାଣି ନ ପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଅଛନ୍ତି।
15ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।
16ଅତିରିକ୍ତ ଧାର୍ମିକ ହୁଅ ନାହିଁ; କିଅବା ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ; କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ ?
17ତୁମ୍ଭେ ଅତି ଦୁଷ୍ଟ ହୁଅ ନାହିଁ, କିଅବା ନିର୍ବୋଧ ହୁଅ ନାହିଁ; ଆପଣା କାଳ ପୂର୍ବରେ କାହିଁକି ମରିବ ?
18ଏହା ଧରି ରଖିବାର, ମଧ୍ୟ ତାହାଠାରୁ ହସ୍ତ କାଢ଼ି ନ ନେବାର ତୁମ୍ଭର ଉତ୍ତମ; କାରଣ ଯେ ପରମେଶ୍ୱରଙ୍କୁ ଭୟ କରେ, ସେ ଏହିସବୁରୁ ଉତ୍ତୀର୍ଣ୍ଣ ହେବ।
19ଜ୍ଞାନବାନ ଲୋକ ପ୍ରତି ନଗରସ୍ଥ ଦଶ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ ଅଧିକ ବଳ ସ୍ୱରୂପ ଅଟେ।
20ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।
21ମଧ୍ୟ ଯେତେ କଥା କୁହାଯାଏ, ସେହି ସବୁରେ ମନୋଯୋଗ କର ନାହିଁ; କଲେ କେଜାଣି ତୁମ୍ଭ ଦାସ ତୁମ୍ଭକୁ ଅଭିଶାପ ଦେବାର ତୁମ୍ଭେ ଶୁଣିବ;
22କାରଣ ତୁମ୍ଭ ମନ ଜାଣେ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେହିପରି ବାରମ୍ବାର ଅଭିଶାପ ଦେଇଅଛ।
23ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି, “ମୁଁ ଜ୍ଞାନୀ ହେବି,” ମାତ୍ର ତାହା ମୋ’ଠାରୁ ଦୂର ଥିଲା।
24ଯାହା ଅଛି, ତାହା ଦୂରରେ ଅଛି ଓ ଅତି ଗଭୀର; ତାହା କିଏ ପାଇ ପାରେ ?
25ଜ୍ଞାନ ଓ ବିଷୟମାନର ତତ୍ତ୍ୱ ଜାଣିବାକୁ, ପୁଣି ଦୁଷ୍ଟତା ଯେ ନିର୍ବୋଧତା ଓ ମୂର୍ଖତା ଯେ ପାଗଳାମି, ଏହା ଜାଣିବାକୁ ମୁଁ ଫେରିଲି ଓ ମୋହର ମନ ତାହା ଅନୁସନ୍ଧାନ ଓ ଅନ୍ଵେଷଣ କରିବାକୁ ନିବିଷ୍ଟ ହେଲା।
26ଆଉ, ମୁଁ ଦେଖୁଅଛି ଯେ, ଯେଉଁ ସ୍ତ୍ରୀର ଅନ୍ତଃକରଣ ଫାନ୍ଦ ଓ ଜାଲ ସ୍ୱରୂପ ଓ ହସ୍ତ ବନ୍ଧନ ସ୍ୱରୂପ, ସେ ମୃତ୍ୟୁୁ ଅପେକ୍ଷା ଅଧିକ ତିକ୍ତ ଅଟେ; ଯେକେହି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ; ମାତ୍ର ପାପୀ ତାହା ଦ୍ୱାରା ଧରାଯିବ।
27ଉପଦେଶକ କହନ୍ତି, ଦେଖ, ମୁଁ ତତ୍ତ୍ୱ ଜାଣିବା ପାଇଁ ଏକ ବିଷୟକୁ ଆରେକ ସଙ୍ଗେ ରଖି ଏହା ପାଇଅଛି;
28ମୋହର ପ୍ରାଣ ଆଜି ପର୍ଯ୍ୟନ୍ତ ଅଦ୍ୟାପି ଅନୁସନ୍ଧାନ କରୁଥାଏ, ମାତ୍ର ମୁଁ ତାହା ପାଇ ନାହିଁ; ସହସ୍ର ମଧ୍ୟରେ ମୁଁ ଏକ ପୁରୁଷ ପାଇଅଛି; ମାତ୍ର ସେହି ସମସ୍ତଙ୍କ ମଧ୍ୟରେ ମୁଁ ଏକ ସ୍ତ୍ରୀ ପାଇ ନାହିଁ।