1ଏଥିଉତ୍ତାରେ ମୁଁ ଫେରି ସୂର୍ଯ୍ୟ ତଳେ କୃତ ଅତ୍ୟାଚାର ସବୁ ଦେଖିଲି; ଆଉ ଦେଖ, ଅତ୍ୟାଚାରପ୍ରାପ୍ତ ଲୋକମାନଙ୍କର ଅଶ୍ରୁପାତ ହୁଏ, ଓ ସେମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ; ପୁଣି, ସେମାନଙ୍କ ଉପଦ୍ରବକାରୀମାନଙ୍କ ପକ୍ଷରେ ପରାକ୍ରମ ଅଛି, ମାତ୍ର ଉପଦ୍ରବପ୍ରାପ୍ତ ଲୋକମାନଙ୍କର ସାନ୍ତ୍ୱନାକାରୀ କେହି ନାହିଁ।
2ଏହେତୁ ମୁଁ ବର୍ତ୍ତମାନ ଜୀବିତ ଲୋକମାନଙ୍କ ଅପେକ୍ଷା ଏଥି ପୂର୍ବରୁ ମୃତମାନଙ୍କର ଅଧିକ ପ୍ରଶଂସା କଲି;
3ମାତ୍ର ଯେଉଁ ଲୋକ ଆଜି ପର୍ଯ୍ୟନ୍ତ ଜନ୍ମି ନାହିଁ ଓ ସୂର୍ଯ୍ୟ ତଳେ କୃତ ମନ୍ଦ କର୍ମ ଦେଖି ନାହିଁ, ତାହାକୁ ମୁଁ ସେହି ଉଭୟଙ୍କ ଅପେକ୍ଷା ଅଧିକ ଉତ୍ତମ ଜ୍ଞାନ କଲି।
4ତହୁଁ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି ଯେ, ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷାପାତ୍ର ହୁଏ। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର।
5ମୂର୍ଖ ଆପଣା ହସ୍ତ ଏକତ୍ର ମୁଠା କରି ଆପଣା ମାଂସ ଭୋଜନ କରେ।