3ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହୁଏ, ତାହାର ସେହିସବୁରୁ କି ଲାଭ ?
4ଏକ ପିଢ଼ି ଯାଏ ଓ ଅନ୍ୟ ପିଢ଼ି ଆସେ; କିନ୍ତୁ ପୃଥିବୀ ସଦାକାଳ ଥାଏ।
5ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ।
6ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ; ଆପଣା ପଥରେ ସର୍ବଦା ଘୁରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ।
7ନଦୀସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ; ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି।
8ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରି ପାରେ ନାହିଁ; ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।
9ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇଅଛି, ତାହା ହିଁ କରାଯିବ; ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ।
10ଯାହା ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି ? ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା।
11ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ; କିଅବା ଭବିଷ୍ୟତରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।”
12ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି।
13ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ।
14ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର।