2ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ; ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ।
3ଆହୁରି, ମୂର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ, ପୁଣି ସେ ପ୍ରତ୍ୟେକକୁ କହେ ଯେ, ସେ ମୂର୍ଖ।
4ତୁମ୍ଭ ଉପରେ ଶାସନକର୍ତ୍ତାର ମନରେ ବିରୁଦ୍ଧଭାବ ଉତ୍ପନ୍ନ ହେଲେ, ଆପଣା ସ୍ଥାନ ଛାଡ଼ ନାହିଁ; କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ମହା ଅନିଷ୍ଟ କ୍ଷାନ୍ତ ହୁଏ।
5ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି, ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭୁଲ୍ ତୁଲ୍ୟ ଅଟେ;
6ମୂର୍ଖତା ଅତି ଉଚ୍ଚ ପଦରେ ସ୍ଥାପିତ ହୁଏ, ପୁଣି ଧନୀ ନୀଚ ସ୍ଥାନରେ ବସେ।
7ମୁଁ ଦାସମାନଙ୍କୁ ଅଶ୍ୱ ଉପରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପାଦଗତିରେ ଗମନ କରିବାର ଦେଖିଅଛି।
8ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ବେଢ଼ା ଭାଙ୍ଗେ, ତାହାକୁ ସର୍ପ କାମୁଡ଼ିବ।
9ଯେଉଁ ଲୋକ ପଥର ଖୋଳେ, ସେ ତଦ୍ଦ୍ୱାରା ଆଘାତ ପାଇବ; ପୁଣି, ଯେ କାଠ ଚିରେ, ସେ ତଦ୍ଦ୍ୱାରା ଆପଦଗ୍ରସ୍ତ ହୁଏ।
10ଲୁହା ଦନ୍ଥରା ହେଲେ ଯଦି କେହି ତାହାର ଦାଢ଼ ନ ପଜାଏ, ତେବେ ତାହା ଉତ୍ତାରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ; ମାତ୍ର କର୍ତ୍ତବ୍ୟକୁ ଦେଖାଇବା ପାଇଁ ଜ୍ଞାନ ଫଳଦାୟକ।
11ସର୍ପ ମନ୍ତ୍ରମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ ଗୁଣିଆର କିଛି ଲାଭ ନାହିଁ।
12ଜ୍ଞାନୀର ମୁଖର ବାକ୍ୟ ଅନୁଗ୍ରହଜନକ; ମାତ୍ର ମୂର୍ଖର ନିଜ ଓଷ୍ଠାଧର ତାହାକୁ ଗ୍ରାସ କରିବ।
13ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ଦୁଃଖଦାୟୀ ପାଗଳାମି ଅଟେ।
14ମୂର୍ଖ ବହୁତ କଥା କହେ; ତଥାପି କଅଣ ହେବ, ମନୁଷ୍ୟ ଜାଣେ ନାହିଁ; ଆଉ, ତାହା ଉତ୍ତାରେ ଯାହା ଘଟିବ, କିଏ ତାହାକୁ ଜଣାଇ ପାରେ ?