4ଯେ କର୍ମ କରେ, ତାହା ପକ୍ଷରେ ତା'ର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେୟ ବୋଲି ଗଣିତ ହୁଏ ।
5କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି, ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତା'ର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ ।
6ଏହି ପ୍ରକାରେ ଯେଉଁ ଲୋକ ପକ୍ଷରେ ଈଶ୍ୱର କ୍ରିୟାକର୍ମ ବ୍ୟତୀତ ଧାର୍ମିକତା ଗଣନା କରନ୍ତି, ଦାଉଦ ମଧ୍ୟ ତାକୁ ଧନ୍ୟ ବୋଲି କହନ୍ତି, ଯଥା,
7"ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ ।
8ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ ।'
9ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ବା ଅସୁନ୍ନତିମାନଙ୍କୁ ମଧ୍ୟ କୁହାଯାଏ ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା ।
10ତେବେ, ତାହା କିପରି ଗଣିତ ହେଲା ? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ ।
11ଆଉ, ସେ ଅସୁନ୍ନତି ଅବସ୍ଥାରେ ବିଶ୍ୱାସ ସକାଶେ ଧାର୍ମିକ ଗଣିତ ହୋଇ ସେଥିର ମୁଦ୍ରାଙ୍କ ସ୍ୱରୂପେ ସୁନ୍ନତ ଚିହ୍ନ ପାଇଲେ, ଯେପରି ଅସୁନ୍ନତି ଅବସ୍ଥାରେ ଥିବା ସମସ୍ତ ବିଶ୍ୱାସୀଙ୍କ ପକ୍ଷରେ ଧାର୍ମିକତା ଗଣନା କରାଯିବା ନିମନ୍ତେ ସେ ସେମାନଙ୍କର ପିତା ହୁଅନ୍ତି,
12ପୁଣି, ଯେପରି ସେ ସୁନ୍ନତିମାନଙ୍କର ପିତା ହୋଇ ପାରନ୍ତି, ଅର୍ଥାତ୍ ଯେଉଁମାନେ ସୁନ୍ନତ ପ୍ରାପ୍ତ, କେବଳ ସେମାନଙ୍କର ନୁହେଁ, ମାତ୍ର ଅସୁନ୍ନତି ଅବସ୍ଥାରେ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ ।
13କାରଣ ଅବ୍ରହାମ କିମ୍ବା ତାଙ୍କ ବଂଶକୁ ଜଗତର ଅଧିକାରୀ ହେବା ନିମନ୍ତେ ପ୍ରତିଜ୍ଞା ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଦିଆଯାଇ ନ ଥିଲା, ମାତ୍ର ବିଶ୍ୱାସର ଧାର୍ମିକତା ଦ୍ୱାରା ଦିଆଯାଇଥିଲା ।
14ଯେଣୁ ଯଦି ମୋଶାଙ୍କ ବ୍ୟବସ୍ଥାବଲମ୍ବୀମାନେ ଅଧିକାରୀ ହୁଅନ୍ତି, ତାହାହେଲେ ବିଶ୍ୱାସ ବ୍ୟର୍ଥ କରାଯାଇଅଛି ଓ ପ୍ରତିଜ୍ଞା ନିଷ୍ପଳ କରାଯାଇଅଛି ।