Text copied!
CopyCompare
ଓଡିଆ ବାଇବେଲ - ରୋମୀୟ - ରୋମୀୟ 15

ରୋମୀୟ 15:14-33

Help us?
Click on verse(s) to share them!
14ଆଉ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେ ଆପେ ଆପେ ମଙ୍ଗଳଭାବରେ ଓ ସମସ୍ତ ଜ୍ଞାନରେ ପରିପୂର୍ଣ୍ଣ; ପୁଣି, ପରସ୍ପରକୁ ଚେତନା ଦେବା ନିମନ୍ତେ ମଧ୍ୟ ସକ୍ଷମ, ଏହା ମୁଁ ନିଜେ ସୁଦ୍ଧା ତୁମ୍ଭମାନଙ୍କ ବିଷୟରେ ନିଶ୍ଚୟ ବୋଧ କରୁଅଛି ।
15ତଥାପି ମୋତେ ଈଶ୍ୱରଙ୍କ କର୍ତ୍ତୃକ ଦିଆଯାଇଥିବା ଅନୁଗ୍ରହ ହେତୁ ମୁଁ ତୁମ୍ଭମାନଙ୍କୁ ପୁନର୍ବାର ସ୍ମରଣ କରାଇବା ନିମନ୍ତେ କେତେକ ପରିମାଣରେ ଅଧିକ ସାହସ ସହିତ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି ।
16କାରଣ ଅଣଯିହୂଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ୱରଙ୍କ ସୁସମାଚାରର ଯାଜକତ୍ତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦିଆଯାଇଅଛି ।
17ଏଣୁ ଈଶ୍ୱରଙ୍କ ସେବା ବିଷୟରେ ମୋହର ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରିବାର ଅଛି ।
18କାରଣ ଅଣଯିହୂଦୀମାନଙ୍କୁ ଆଜ୍ଞାବହ କରିବା ନିମନ୍ତେ ଖ୍ରୀଷ୍ଟ ମୋ' ଦ୍ୱାରା ବାକ୍ୟରେ ଓ କର୍ମରେ, ଅର୍ଥାତ୍‍ ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମରେ, ପବିତ୍ର ଆତ୍ମାଙ୍କ ଶକ୍ତିରେ ଯାହା ଯାହା ସାଧନ କରି ନାହାଁନ୍ତି, ଏପରି କୌଣସି ବିଷୟ କହିବାକୁ ମୁଁ ସାହସ କରିବି ନାହିଁ ।
19ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି,
20ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୂଆ ଉପରେ ନ ଗଢ଼େ, ଏଥି ନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇ ନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି;
21ଯେପରି ଲେଖା ଅଛି, "ଯେଉଁମାନେ ତାହାଙ୍କ ସମ୍ବାଦ ପାଇ ନାହାଁନ୍ତି, ସେମାନେ ଦେଖିବେ, ଆଉ ଯେଉଁମାନେ ଶୁଣି ନାହାଁନ୍ତି, ସେମାନେ ବୁଝିବେ ।"
22ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ବାଧା ପାଇ ଆସୁଅଛି;
23କିନ୍ତୁ ଏବେ ଏହି ସବୁ ଅଞ୍ଚଳରେ କାର୍ଯ୍ୟ କରିବାକୁ ଆଉ ସ୍ଥାନ ନ ଥିବାରୁ ପୁଣି, ଅନେକ ବର୍ଷ ହେଲା ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଆକାଂକ୍ଷା କରି ଆସୁଥିବାରୁ,
24ମୁଁ ସ୍ପେନକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି ।
25କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମକୁ ଯାଉଅଛି ।
26କାରଣ ଯିରୂଶାଲମସ୍ଥ ସାଧୁମାନଙ୍କ ମଧ୍ୟରେ ଯେଉଁମାନେ ଦରିଦ୍ର, ସେମାନଙ୍କ ନିମନ୍ତେ ମାକିଦନିଆ ଓ ଆଖାୟାର ମଣ୍ଡଳୀସମୂହ ସହଭାଗିତାସୂଚକ କିଛି ଦାନ ସଂଗ୍ରହ କରିବାକୁ ଭଲ ମଣିଅଛନ୍ତି ।
27ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୂଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ ।
28ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି ।
29ଆଉ ମୁଁ ଜାଣେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବି, ସେତେବେଳେ ଖ୍ରୀଷ୍ଟଙ୍କ ଆଶୀର୍ବାଦର ପୂର୍ଣ୍ଣତାରେ ଉପସ୍ଥିତ ହେବି।
30ହେ ଭାଇମାନେ, ମୁଁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ହେତୁ ଓ ଆତ୍ମାଙ୍କ ପ୍ରେମ ହେତୁ ମୋ' ନିମନ୍ତେ ଈଶ୍ୱରଙ୍କ ନିକଟରେ ମୋ' ସହିତ ଯତ୍ନ ସହକାରେ ପ୍ରାର୍ଥନା କରିବା ପାଇଁ ତୁମ୍ଭମାନଙ୍କୁ ବିନତି କରୁଅଛି,
31ଯେପରି ମୁଁ ଯିହୂଦା ପ୍ରଦେଶରେ ଅନାଜ୍ଞାବହ ଲୋକମାନଙ୍କଠାରୁ ଉଦ୍ଧାର ପାଏ, ଆଉ ଯିରୂଶାଲମ ନିମନ୍ତେ ମୋହର ଯେଉଁ ସେବା, ତାହା ଯେପରି ସାଧୁମାନଙ୍କ ନିକଟରେ ସୁଗ୍ରାହ୍ୟ ହୁଏ,
32ପୁଣି, ଈଶ୍ୱରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ ।
33ଶାନ୍ତିଦାତା ଈଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ । ଆମେନ୍‍ ।

Read ରୋମୀୟ 15ରୋମୀୟ 15
Compare ରୋମୀୟ 15:14-33ରୋମୀୟ 15:14-33