19ଆଉ ସେ ଭୋଜନ କରି ବଳ ପାଇଲେ ।ଏଥିଉତ୍ତାରେ ସେ ଦମ୍ମେସକରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ;
20ପୁଣି, ଯୀଶୁ ଯେ ଈଶ୍ୱରଙ୍କର ପୁତ୍ର, ଏହା ସେ ଅବିଳମ୍ବରେ ସମାଜଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ ।
21ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ,ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇ ପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା,ଏ କି ସେହି ନୁହେଁ ?
22କିନ୍ତୁ, 'ଶାଉଲ' ଅଧିକତର ଶକ୍ତିଶାଳୀ ହୋଇ ଉଠିଲେ, ପୁଣି, ଏ ଯେ ଖ୍ରୀଷ୍ଟ,ଏହା ପ୍ରମାଣ କରି ଦମ୍ମେସକନିବାସୀ ଯିହୂଦୀମାନଙ୍କୁ ନିରୁତ୍ତର କରିଦେଉଥିଲେ ।
23ଅନେକ ଦିନ ଗତ ହେଲା ଉତ୍ତାରେ ଯିହୂଦୀମାନେ ତାହାଙ୍କୁ ବଧ କରିବା ପାଇଁ ଏକତ୍ର ମନ୍ତ୍ରଣା କଲେ;
24କିନ୍ତୁ ସେମାନଙ୍କର ଚକ୍ରାନ୍ତ ଶାଉଲଙ୍କର କର୍ଣ୍ଣଗୋଚର ହେଲା । ଆଉ, ସେମାନେ ଯେପରି ତାହାଙ୍କୁ ବଧ କରି ପାରନ୍ତି,ଏଥି ନିମନ୍ତେ ଦିବାରାତ୍ର ମଧ୍ୟ ନଗର-ଦ୍ୱାରସବୁ ଜଗି ରହିଲେ,
25କିନ୍ତୁ ତାହାଙ୍କର ଶିଷ୍ୟମାନେ ରାତ୍ରିକାଳରେ ତାହାଙ୍କୁ ଘେନି ଗୋଟିଏ ଟୋକେଇରେ ପ୍ରାଚୀର ଦେଇ ତଳକୁ ଓହ୍ଲାଇଦେଲେ ।
26ପରେ ସେ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ ।
27କିନ୍ତୁ ବର୍ଣ୍ଣବ୍ବା ତାହାଙ୍କୁ ସଙ୍ଗରେ ଘେନି ପ୍ରେରିତମାନଙ୍କ ନିକଟକୁ ଆଣିଲେ, ପୁଣି, ବାଟରେ ସେ କିପରି ପ୍ରଭୁଙ୍କର ଦର୍ଶନ ପାଇଥିଲେ ଓ ସେ ଯେ ତାହାଙ୍କ ସହିତ କଥା କହିଥିଲେ, ଆଉ କିପ୍ରକାରେ ସେ ଦମ୍ମେସକରେ ଯୀଶୁଙ୍କ ନାମରେ ସାହସପୂର୍ବକ ପ୍ରଚାର କରିଥିଲେ,ଏହି ସବୁ ସେ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ ।
28ଆଉ,ସେ ସେମାନଙ୍କ ସହିତ ଯିରୂଶାଲମରେ ଗମନାଗମନ କରି,
29ପ୍ରଭୁଙ୍କର ନାମ ସାହସପୂର୍ବକ ପ୍ରଚାର କରିବାକୁ ଲାଗିଲେ, ପୁଣି, ସେ ଗ୍ରୀକ୍ ଭାଷାବାଦୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା ଓ ତର୍କବିତର୍କ କରୁଥିଲେ, କିନ୍ତୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରିବାକୁ ଲାଗିଲେ ।
30ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ ।
31ଏହି ପ୍ରକାରେ ସମୁଦାୟ ଯିହୂଦା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀ ନିଷ୍ଠାପ୍ରାପ୍ତ ହୋଇ ଓ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କଲେ, ପୁଣି, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗିଲେ ।
32ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦନିବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ ।
33ସେ ସ୍ଥାନରେ ସେ ଏନୀୟ ନାମକ ଜଣେ ଲୋକଙ୍କର ଦେଖାପାଇଲେ, ସେ ଆଠ ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ଥିଲେ; ତାହାଙ୍କୁ ପକ୍ଷାଘାତ ହୋଇଥିଲା ।
34ପିତର ତାହାଙ୍କୁ କହିଲେ, ଏନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି; ଉଠ, ତୁମ୍ଭର ଶେଯ ସଜାଡ଼ । ସେଥିରେ ସେ ସେହିକ୍ଷଣି ଉଠିଲେ ।