7ସୋରରୁ ଆମ୍ଭେମାନେ ଜଳଯାତ୍ରା ଶେଷ କରି ପତଲମାଇରେ ପହଞ୍ଚିଥିଲୁ ଓ ଭାଇମାନଙ୍କୁ ନମସ୍କାର କରି, ଗୋଟିଏ ଦିନ ସେମାନଙ୍କ ସହିତ ରହିଲୁ ।
8ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ । ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ ।
9ତାହାଙ୍କର ଚାରି ଜଣ କୁମାରୀ କନ୍ୟା, ଭାବବାଦିନୀ ଥିଲେ ।
10ଆମ୍ଭେମାନେ ସେହି ସ୍ଥାନରେ ଅନେକ ଦିନ ରହିଲା ପରେ ଆଗାବ ନାମକ ଜଣେ ଭାବବାଦୀ ଯିହୂଦା ପ୍ରଦେଶରୁ ଆସିଲେ ।
11ସେ ପାଉଲଙ୍କ କଟି ବନ୍ଧନ ଘେନି ଆପଣା ହସ୍ତପାଦ ବନ୍ଧନ କରି ସେ ଆମ୍ଭମାନଙ୍କ ନିକଟକୁ ଆସି କହିଲେ, ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କୁ ଯିରୂଶାଲମ ନିବାସୀ ଯିହୂଦୀମାନେ ଏହିପରି ବାନ୍ଧି ଅଣଯିହୂଦୀମାନଙ୍କ ହସ୍ତରେ ସମର୍ପଣ କରିବେ ।
12ଏହି ସମସ୍ତ କଥା ଶୁଣି ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ବିନତି କଲୁ ।
13ପାଉଲ ସେଥିରେ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କ'ଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି ।
14ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ ।
15ଆମ୍ଭେମାନେ ଏହି ସମସ୍ତ ଦିନ ଉତ୍ତାରେ ଜିନିଷପତ୍ର ନେଇ ଯିରୂଶାଲମକୁ ଯାତ୍ରା କଲୁ ।
16ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ କୁପ୍ରର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ,ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା ।
17ଆମ୍ଭେମାନେ ଯିରୂଶାଲମରେ ପହଞ୍ଚନ୍ତେ ଆମ୍ଭମାନଙ୍କୁ ଭାଇମାନେ ଆନନ୍ଦରେ ଗ୍ରହଣ କଲେ ।
18ତହିଁ ଆରଦିନ ପାଉଲ ଆମ୍ଭମାନଙ୍କ ସହିତ ଯାକୁବଙ୍କ ଗୃହକୁ ଗଲେ, ଆଉ ସେ ସ୍ଥାନରେ ସମସ୍ତ ପ୍ରାଚୀନ ଉପସ୍ଥିତ ହେଲେ ।
19ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ, ଈଶ୍ୱର ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁ ସବୁ କାର୍ଯ୍ୟ ତାହାଙ୍କ ସେବା ଦ୍ୱାରା ସାଧନ କରିଥିଲେ, ଗୋଟି ଗୋଟି କରି ସେହି ସବୁ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ ।
20ସେମାନେ ତାହା ଶୁଣି ଈଶ୍ୱରଙ୍କ ମହିମା ଗୁଣାନୁବାଦ କରିବାକୁ ଲାଗିଲେ, ପୁଣି, ତାହାଙ୍କୁ କହିଲେ, ହେ ଭାଇ, ଯିହୂଦୀମାନଙ୍କ ମଧ୍ୟରେ ଯେ କେତେ ସହସ୍ର ବିଶ୍ୱାସ କରିଅଛନ୍ତି, ଏହା ତୁମ୍ଭେ ଦେଖୁଅଛ, ସେ ସମସ୍ତେ ମୋଶାଙ୍କ ବ୍ୟବସ୍ଥା ପକ୍ଷରେ ଉଦ୍ଯୋଗୀ ।
21ପୁଣି, ଅଣଯିହୂଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୂଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ଦେଇଅଛନ୍ତି ।
22ତେବେ କ'ଣ କରାଯାଏ ? ତୁମ୍ଭେ ଆସିଅଛ ବୋଲି ସେମାନେ ଅବଶ୍ୟ ଶୁଣିବେ ।