Text copied!
Bibles in Odia

ମାର୍କ 8:11-38 in Odia

Help us?

ମାର୍କ 8:11-38 in ଓଡିଆ ବାଇବେଲ

11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ ।
12 ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ବର୍ତ୍ତମାନ ପୁରୁଷ କାହିଁଁକି ଚିହ୍ନ ଅନ୍ୱେଷଣ କରୁଅଛି ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁଁ ।
13 ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକି ବାହାରିଗଲେ ।
14 ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା ।
15 ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ ।
16 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି ସେ ଏହା କହୁଅଛନ୍ତି ।
17 ସେ ତାହା ଜାଣି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ ? ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ ?
18 ତୁମ୍ଭମାନଙ୍କ ହୃଦୟ କ'ଣ ଜଡ଼ ହୋଇ ରହିଅଛି ? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ ?
19 ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ ? ସେମାନେ ତାହାଙ୍କୁ କହିଲେ, ବାର ଟୋକାଇ ।
20 ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ବେତାଗୁଡିକ ଭଙ୍ଗା ଖଣ୍ଡ ଉଠାଇନେଇଥିଲ ? ସେମାନେ କହିଲେ, ସାତ ଟୋକେଇ ।
21 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁ ନାହଁ ?
22 ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ ।
23 ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ ?
24 ସେ ଚାହିଁଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି ।
25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁଁବାକୁ ଲାଗିଲା ।
26 ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, ଏ ଗାଁ ଭିତରକୁ ସୁଦ୍ଧା ଯାଅନାହିଁଁ ।
27 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମୁଁ କିଏ ବୋଲି ଲୋକେ କଅଣ କହନ୍ତି ?
28 ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲିୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ ।
29 ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ।
30 ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ ।
31 ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ କରିବାକୁ ହେବ ।
32 ଏହି କଥା ସେ ସ୍ପଷ୍ଟରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ ।
33 କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।
34 ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ ।
35 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ ।
36 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ ?
37 ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ ?
38 ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ ।
ମାର୍କ 8 in ଓଡିଆ ବାଇବେଲ