Text copied!
CopyCompare
ଓଡିଆ ବାଇବେଲ - ମାର୍କ - ମାର୍କ 8

ମାର୍କ 8:11-38

Help us?
Click on verse(s) to share them!
11ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ ।
12ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ବର୍ତ୍ତମାନ ପୁରୁଷ କାହିଁଁକି ଚିହ୍ନ ଅନ୍ୱେଷଣ କରୁଅଛି ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁଁ ।
13ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକି ବାହାରିଗଲେ ।
14ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା ।
15ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ ।
16ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି ସେ ଏହା କହୁଅଛନ୍ତି ।
17ସେ ତାହା ଜାଣି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ ? ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ ?
18ତୁମ୍ଭମାନଙ୍କ ହୃଦୟ କ'ଣ ଜଡ଼ ହୋଇ ରହିଅଛି ? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ ?
19ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ ? ସେମାନେ ତାହାଙ୍କୁ କହିଲେ, ବାର ଟୋକାଇ ।
20ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ବେତାଗୁଡିକ ଭଙ୍ଗା ଖଣ୍ଡ ଉଠାଇନେଇଥିଲ ? ସେମାନେ କହିଲେ, ସାତ ଟୋକେଇ ।
21ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ କ'ଣ ଏପର୍ଯ୍ୟନ୍ତ ବୁଝୁ ନାହଁ ?
22ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ ।
23ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ ?
24ସେ ଚାହିଁଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି ।
25ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁଁବାକୁ ଲାଗିଲା ।
26ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, ଏ ଗାଁ ଭିତରକୁ ସୁଦ୍ଧା ଯାଅନାହିଁଁ ।
27ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମୁଁ କିଏ ବୋଲି ଲୋକେ କଅଣ କହନ୍ତି ?
28ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲିୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ ।
29ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ ? ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ।
30ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ ।
31ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ କରିବାକୁ ହେବ ।
32ଏହି କଥା ସେ ସ୍ପଷ୍ଟରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ ।
33କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।
34ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ ।
35କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ ।
36ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ ?
37ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ ?
38ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ ।

Read ମାର୍କ 8ମାର୍କ 8
Compare ମାର୍କ 8:11-38ମାର୍କ 8:11-38