Text copied!
Bibles in Odia

ଲୂକ 6:6-19 in Odia

Help us?

ଲୂକ 6:6-19 in ଓଡିଆ ବାଇବେଲ

6 ସେ ଆଉ ଗୋଟିଏ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା ।
7 ଆଉ, ସେ କେଜାଣି ବିଶ୍ରାମବାରରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ଭୁଲ୍ ପାଇ ପାରନ୍ତି ।
8 କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ । ପୁଣି, ସେ ଉଠି ଠିଆ ହେଲା ।
9 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାମବାରରେ କ'ଣ କରିବା ଉଚିତ ? ଭଲ କରିବା ନା ମନ୍ଦ କରିବା ? ଜୀବନ ରକ୍ଷା କରିବା ନା ବିନାଶ କରିବା ?
10 ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ । ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି, ଭଲ ହୋଇଗଲା ।
11 କିନ୍ତୁ ସେମାନେ କ୍ରୋଧରେ ପୂର୍ଣ୍ଣ ହେଲେ, ଆଉ ଯୀଶୁଙ୍କ ପ୍ରତି କ'ଣ କରି ପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ ।
12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ବିତାଇଲେ ।
13 ସକାଳ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ ବାର ଜଣକୁ ମନୋନୀତ କଲେ; ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ,
14 ସେମାନେ ଶିମୋନ, ଯାହାକୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାହାଙ୍କ ଭାଇ ଆନ୍ଦ୍ରୀୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବାର୍ଥଲମୀ,
15 ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍‌ଯୋଗୀ ବୋଲି କହନ୍ତି,
16 ଯାକୁବଙ୍କ ପୁତ୍ର ଯିହୂଦା ଓ ଈଷ୍କାରିୟୋତୀୟ ଯିହୂଦା, ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା ।
17 ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି, ତାହାଙ୍କର ଅନେକ ଶିଷ୍ୟ ଏବଂ ସମସ୍ତ ଯିହୂଦା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୂଳରୁ ଅନେକେ ଉପସ୍ଥିତ ହେଲେ;
18 ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କଷ୍ଟ ପାଉଥିଲେ, ସେମାନେ ସୁସ୍ଥ କରାଗଲେ;
19 ପୁଣି, ଲୋକସମୂହ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ବାହାରି ସମସ୍ତଙ୍କୁ ସୁସ୍ଥ କରୁଥିଲା ।
ଲୂକ 6 in ଓଡିଆ ବାଇବେଲ