Text copied!
Bibles in Odia

ଲୂକ 4:2-24 in Odia

Help us?

ଲୂକ 4:2-24 in ଓଡିଆ ବାଇବେଲ

2 ସେହି ସମସ୍ତ ଦିନ ସେ କିଛି ଖାଇଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ, ସେ କ୍ଷୁଧିତ ହେଲେ ।
3 ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ ।
4 ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ ।
5 ଆଉ ସେ ତାହାଙ୍କୁ ଉପରକୁ ନେଇଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା ।
6 ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଏୗଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଚ୍ଛା, ତାହାକୁ ତାହା ଦେଉ ।
7 ଅତଏବ, ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ ।
8 ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ ।
9 ପୁଣି, ସେ ତାହାଙ୍କୁ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯଦି ଈଶ୍ୱରଙ୍କ ପୁତ୍ର, ତାହାହେଲେ ଏଠାରୁ ତଳକୁ ଡେଇଁପଡ଼;
10 କାରଣ ଲେଖା ଅଛି, ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;
11 ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।
12 ପୁଣି, ଯୀଶୁ ତାହାକୁ ଉତ୍ତର ଦେଲେ, ଶାସ୍ତ୍ରରେ ମଧ୍ୟ ଏହା ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ ।
13 ଶୟତାନ ଯୀଶୁଙ୍କୁ ସମସ୍ତ ପ୍ରକାର ପରୀକ୍ଷା ଶେଷ କଲା ପରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ଛାଡ଼ି ଚାଲିଗଲା ।
14 ଏହାପରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲିଲୀକୁ ଫେରିଗଲେ, ଆଉ ଚାରିଆଡ଼େ ସମସ୍ତ ଅଞ୍ଚଳରେ ତାହାଙ୍କ ଖ୍ୟାତି ବ୍ୟାପିଗଲା ।
15 ପୁଣି, ସେ ସେମାନଙ୍କର ସମାଜଗୃହ ସମୂହରେ ଶିକ୍ଷା ଦେଇ ସମସ୍ତଙ୍କଠାରୁ ଗୌରବ ପାଇବାକୁ ଲାଗିଲେ ।
16 ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ ।
17 ସେଥିରେ ଯିଶାଈୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,
18 ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ,
19 ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି ।
20 ପରେ ସେ ପୁସ୍ତକ ବନ୍ଦ କରି, ପରିଚାରକକୁ ତାହା ଫେରାଇଦେଇ ବସିଲେ । ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା ।
21 ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ ଶୁଣିବା ଅନୁସାରେ ସଫଳ ହେଲା ।
22 ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କ'ଣ ଯୋଷେଫର ପୁତ୍ର ନୁହେଁ ?
23 ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ହେ ଚିକିତ୍ସକ, ନିଜେ ନିଜକୁ ସୁସ୍ଥ କର; କର୍ଫନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହି ସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର ।
24 ପୁଣି, ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ ।
ଲୂକ 4 in ଓଡିଆ ବାଇବେଲ