Text copied!
Bibles in Odia

ଲୂକ 2:13-44 in Odia

Help us?

ଲୂକ 2:13-44 in ଓଡିଆ ବାଇବେଲ

13 ପୁଣି, ହଠାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ,
14 ଊର୍ଦ୍ଧ୍ୱଲୋକରେ ଈଶ୍ୱରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ।
15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ଫେରିଗଲା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା ।
16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରିୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ ।
17 ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହି ସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ ।
19 କିନ୍ତୁ ମରିୟମ ଏହି ସମସ୍ତ କଥା ହୃଦୟରେ ରଖି ଭାବିବାକୁ ଲାଗିଲେ ।
20 ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେ ସମସ୍ତ ସକାଶେ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ଫେରିଗଲେ ।
21 ତାହାଙ୍କୁ ସୁନ୍ନତ କରିବା ନିମନ୍ତେ ଆଠ ଦିନ ହେବାରୁ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭାସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା ।
22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
23 ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ,
24 ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମକୁ ନେଇଗଲେ ।
25 ଆଉ ଦେଖ, ଯିରୂଶାଲମରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ ।
26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା ।
27 ସେ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ୱରଙ୍କ ପ୍ରଶଂସା କରି କହିଲେ,
29 ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,
31 ଯାହା ତୁମ୍ଭେ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
32 ଅଣଯିହୂଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୁପ କରିଅଛ ।
33 ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ ।
34 ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରିୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ,
35 ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍ଗ ବିଦ୍ଧ କରିବ ।
36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା । ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ ।
37 ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ ।
38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ ।
39 ପରେ ସେମାନେ ପ୍ରଭୁଙ୍କ ମୋଶାଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ ।
40 ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା ।
41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମକୁ ଯାଉଥିଲେ ।
42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ ।
43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ ।
44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାଙ୍କୁ ଖୋଜିବାକୁ ଲାଗିଲେ,
ଲୂକ 2 in ଓଡିଆ ବାଇବେଲ