2 ପୁଣି, ସେମାନେ ସମାଧିରୁ ପଥରଟା ଗଡ଼ାଇ ଦିଆଯାଇଥିବା ଦେଖିଲେ,
3 କିନ୍ତୁ ଭିତରକୁ ଯାଇ ପ୍ରଭୁ ଯୀଶୁଙ୍କ ଶରୀର ପାଇଲେ ନାହିଁ ।
4 ଆଉ, ସେମାନେ ସେ ସମ୍ବନ୍ଧରେ ହତବୁଦ୍ଧି ହେଉଅଛନ୍ତି, ଏପରି ସମୟରେ ଦେଖ, ଉଜ୍ଜ୍ୱଳ ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ;
5 ସେଥିରେ ସେମାନେ ଭୀତ ହୋଇ ଅଧୋମୁଖ ହୁଅନ୍ତେ ସେମାନେ ସେମାନଙ୍କୁ କହିଲେ, ମୃତମାନଙ୍କ ମଧ୍ୟରେ ତୁମ୍ଭେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଚ୍ଛ ?
6 ସେ ଏଠାରେ ନାହାଁନ୍ତି, ମାତ୍ର ଉଠିଅଛନ୍ତି । ମନୁଷ୍ୟପୁତ୍ରଙ୍କୁ ଯେ ଅବଶ୍ୟ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇ କ୍ରୁଶରେ ହତ ହେବାକୁ ଓ ତୃତୀୟ ଦିବସରେ ପୁନରୁତ୍ଥାନ କରିବାକୁ ହେବ,
7 ଏହି ଯେଉଁ ବାକ୍ୟ ସେ ଗାଲିଲୀରେ ଥିବା ସମୟରେ ତୁମ୍ଭମାନଙ୍କୁ କହିଥିଲେ, ତାହା ସ୍ମରଣ କର ।
8 ସେଥିରେ ସେମାନେ ତାହାଙ୍କ ବାକ୍ୟ ସ୍ମରଣ କଲେ,
9 ପୁଣି, ସମାଧିରୁ ବାହୁଡ଼ିଯାଇ ଏକାଦଶ ଓ ଅନ୍ୟ ସମସ୍ତଙ୍କୁ ଏହି ସବୁ ସମ୍ବାଦ ଦେଲେ ।
10 ଏମାନେ ମଗ୍ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମାତା ମରିୟମ ଓ ଏମାନଙ୍କ ସାଙ୍ଗରେ ଥିବା ଅନ୍ୟ ସ୍ତ୍ରୀଲୋକମାନେ; ଏମାନେ ପ୍ରେରିତମାନଙ୍କୁ ଏହି ସବୁ ବିଷୟ ଜଣାଇଲେ ।
11 ମାତ୍ର ଏସମସ୍ତ କଥା ସେମାନଙ୍କ ନିକଟରେ କଳ୍ପିତ ଗଳ୍ପ ପରି ଲାଗିଲା, ଆଉ ସେମାନେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ ।
12 କିନ୍ତୁ ପିତର ଉଠି ସମାଧି ନିକଟକୁ ଦୌଡ଼ିଗଲେ ପୁଣି, ନଇଁପଡ଼ି ଚାହିଁ କେବଳ ସୂକ୍ଷ୍ମ ବସ୍ତ୍ରସବୁ ଦେଖିଲେ, ଆଉ ସେ ସେହି ଘଟଣା ବିଷୟରେ ଚମତ୍କୃତ ହୋଇ ଆପଣା ଘରକୁ ଚାଲିଗଲେ ।
13 ଆଉ ଦେଖ, ସେହି ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯିରୂଶାଲମଠାରୁ ପ୍ରାୟ ସାତ ମାଇଲ୍ ଦୂରବର୍ତ୍ତୀ ଇମ୍ମାୟୁ ଗ୍ରାମକୁ ଯାଉଥିଲେ
14 ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ ।
15 ସେମାନେ କଥାବାର୍ତ୍ତା ଓ ବାଦାନୁବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟକୁ ଆସି ସେମାନଙ୍କ ସଙ୍ଗେ ସଙ୍ଗେ ଗମନ କରିବାକୁ ଲାଗିଲେ;
16 କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ, ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ ।
17 ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ଚାଲୁ ଚାଲୁ ଯେଉଁ ସମସ୍ତ ବିଷୟ ପରସ୍ପର କଥାବାର୍ତ୍ତା କରୁଅଛ, ସେ ସବୁ କ'ଣ ? ସେଥିରେ ସେମାନେ ଦୁଃଖି ମୁଖରେ ଠିଆ ହୋଇ ରହିଲେ ।
18 ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କ'ଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ ?
19 ସେ ସେମାନଙ୍କୁ ପଚାରିଲେ, କି କି ପ୍ରକାର ଘଟଣା ? ସେମାନେ ତାହାଙ୍କୁ କହିଲେ, ନାଜରିତୀୟ ଯୀଶୁଙ୍କ ବିଷୟ; ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ,
20 ଆଉ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହି ସମସ୍ତ ବିଷୟ ।
21 କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।
22 ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ଭିତ କରିଅଛନ୍ତି; ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ
23 ଆଉ, ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି ।
24 ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ, ସ୍ତ୍ରୀଲୋକମାନେ ଯେପରି କହିଥିଲେ, ସେପରି ଦେଖିଲେ, କିନ୍ତୁ ଯୀଶୁଙ୍କୁ ଦେଖିଲେ ନାହିଁ
25 ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ,
26 ଏହି ସମସ୍ତ ଦୁଃଖଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କ'ଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା ?