Text copied!
Bibles in Odia

ଲୂକ 24:18-53 in Odia

Help us?

ଲୂକ 24:18-53 in ଓଡିଆ ବାଇବେଲ

18 ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କ'ଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ ?
19 ସେ ସେମାନଙ୍କୁ ପଚାରିଲେ, କି କି ପ୍ରକାର ଘଟଣା ? ସେମାନେ ତାହାଙ୍କୁ କହିଲେ, ନାଜରିତୀୟ ଯୀଶୁଙ୍କ ବିଷୟ; ସେ ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ ଜଣେ ଶକ୍ତିଶାଳୀ ଭାବବାଦୀ ଥିଲେ,
20 ଆଉ, ଆମ୍ଭମାନଙ୍କର ପ୍ରଧାନ ଯାଜକ ଓ ଅଧ୍ୟକ୍ଷମାନେ କିପରି ତାହାଙ୍କୁ ପ୍ରାଣଦଣ୍ଡ ଭୋଗିବାକୁ ସମର୍ପଣ କରି ତାହାଙ୍କୁ କ୍ରୁଶରେ ବଧ କଲେ, ଏହି ସମସ୍ତ ବିଷୟ ।
21 କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ, ସେ ଯେ ଏହି ବ୍ୟକ୍ତି, ତାହା ଆମ୍ଭେମାନେ ଆଶା କରିଥିଲୁ; ମାତ୍ର ଏହାଛଡ଼ା ଏସମସ୍ତ ଘଟିବାର ଆଜିକି ତିନି ଦିନ ହେଲା ।
22 ଆହୁରି ମଧ୍ୟ ଆମ୍ଭମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକ ଆମ୍ଭମାନଙ୍କୁ ଆଚମ୍ଭିତ କରିଅଛନ୍ତି; ସେମାନେ ପ୍ରତ୍ୟୁଷରେ ସମାଧି ନିକଟକୁ ଯାଇଥିଲେ
23 ଆଉ, ତାହାଙ୍କ ଶରୀର ନ ପାଇ ଆସି କହିଲେ ଯେ, ସେମାନେ ଦୂତମାନଙ୍କର ଦର୍ଶନ ମଧ୍ୟ ପାଇଅଛନ୍ତି ଓ ସେହି ଦୂତମାନେ କହିଲେ ଯେ, ସେ ଜୀବିତ ଅଛନ୍ତି ।
24 ଆଉ, ଆମ୍ଭମାନଙ୍କ ସଙ୍ଗୀମାନଙ୍କ ମଧ୍ୟରୁ କେହି କେହି ସମାଧି ନିକଟକୁ ଯାଇ, ସ୍ତ୍ରୀଲୋକମାନେ ଯେପରି କହିଥିଲେ, ସେପରି ଦେଖିଲେ, କିନ୍ତୁ ଯୀଶୁଙ୍କୁ ଦେଖିଲେ ନାହିଁ
25 ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ,
26 ଏହି ସମସ୍ତ ଦୁଃଖଭୋଗ କରି ଆପଣା ମହିମାରେ ପ୍ରବେଶ କରିବା କ'ଣ ଖ୍ରୀଷ୍ଟଙ୍କର ଆବଶ୍ୟକ ନ ଥିଲା ?
27 ପୁଣି, ମୋଶା ଓ ସମସ୍ତ ଭାବବାଦୀଙ୍କଠାରୁ ଆରମ୍ଭ କରି ସମସ୍ତ ଧର୍ମଶାସ୍ତ୍ରରେ ଆପଣା ସମ୍ବନ୍ଧୀୟ କଥା ସେ ସେମାନଙ୍କୁ ବୁଝାଇଦେଲେ ।
28 ଆଉ ସେମାନେ ଯେଉଁ ଗ୍ରାମକୁ ଯାଉଥିଲେ, ସେଥିର ନିକଟବର୍ତ୍ତୀ ହୁଅନ୍ତେ ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ ।
29 କିନ୍ତୁ ସେମାନେ ତାହାଙ୍କୁ ବଳାଇ କହିଲେ, ଆମ୍ଭମାନଙ୍କ ସାଙ୍ଗରେ ରହନ୍ତୁ, କାରଣ ସନ୍ଧ୍ୟା ହୋଇ ଆସୁଅଛି ଓ ବେଳ ଗଡ଼ିଗଲାଣି । ସେଥିରେ ସେ ସେମାନଙ୍କ ସହିତ ରହିବାକୁ ଘର ଭିତରକୁ ଗଲେ ।
30 ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି, ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ ।
31 ତହିଁରେ ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ; ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ ।
32 ସେଥିରେ ସେମାନେ ପରସ୍ପର କହିଲେ, ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା ?
33 ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ;
34 ସେମାନେ କହୁଥିଲେ ପ୍ରଭୁ ନିଶ୍ଚୟ ଉଠିଅଛନ୍ତି ଓ ଶିମୋନଙ୍କୁ ଦର୍ଶନ ଦେଇଅଛନ୍ତି ।
35 ଆଉ ସେମାନେ ମଧ୍ୟ ବାଟର ସମସ୍ତ ଘଟଣା ଓ ରୁଟି ଭାଙ୍ଗିବାରେ ସେ କିପରି ସେମାନଙ୍କ ଦ୍ୱାରା ଚିହ୍ନାଗଲେ, ସେହି ସବୁ ବର୍ଣ୍ଣନା କରିବାକୁ ଲାଗିଲେ ।
36 କିନ୍ତୁ ସେମାନେ ଏହି ସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ ।
37 ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ ।
38 ସେଥିରେ ସେ ସେମାନଙ୍କୁ କହିଲେ, କାହିଁକି ଉଦ୍‌ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି ?
39 ଏ ଯେ ସ୍ୱୟଂ ମୁଁ, ମୋର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ ।
40 ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ ।
41 ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, ଏଠାରେ ତୁମ୍ଭମାନଙ୍କ ପାଖରେ କ'ଣ ଖାଦ୍ୟ ଅଛି ?
42 ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ ।
43 ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତାରେ ଭୋଜନ କଲେ ।
44 ପୁଣି, ସେ ସେମାନଙ୍କୁ କହିଲେ, ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତାରେ ଧର୍ମଶାସ୍ତ୍ରରେ ମୋ' ବିଷୟରେ ଯାହା ଯାହା ଲେଖା ଅଛି, ସେହି ସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି ।
45 ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ;
46 ଆଉ ସେମାନଙ୍କୁ କହିଲେ, ଏହି ପ୍ରକାରେ ଲେଖା ଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ,
47 ପୁଣି, ଯିରୂଶାଲମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ ।
48 ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ
49 ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ ।
50 ତତ୍ପରେ ସେ ସେମାନଙ୍କୁ ବେଥନିଅାକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ ।
51 ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ ।
52 ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମକୁ ବାହୁଡ଼ିଗଲେ,
53 ପୁଣି, ସର୍ବଦା ମନ୍ଦିରରେ ରହି ଈଶ୍ୱରଙ୍କ ସ୍ତବ କରିବାକୁ ଲାଗିଲେ ।
ଲୂକ 24 in ଓଡିଆ ବାଇବେଲ