Text copied!
Bibles in Odia

ଲୂକ 23:31-49 in Odia

Help us?

ଲୂକ 23:31-49 in ଓଡିଆ ବାଇବେଲ

31 କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କ'ଣ ନ ଘଟିବ ?
32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ ।
33 ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ।
34 ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।
35 ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ । ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ ।
36 ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଲରସ ଯାଚି ତାହାଙ୍କୁ ପରିହାସ କରି କହିଲେ,
37 ତୁ ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର ।
38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, "ଏ ଯିହୂଦୀମାନଙ୍କର ରାଜା ।"
39 ଆଉ କ୍ରୁଶରେ ଚଢ଼ାଯାଇ ଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁଁ ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର ।
40 କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁ ନାହୁଁ ?
41 ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାଁନ୍ତି ।
42 ପୁଣି, ସେ କହିଲା, ହେ ଯୀଶୁ , ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।
43 ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।
44 ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା,
45 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା ।
46 ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି । ଏହା କହି ସେ ପ୍ରାଣତ୍ୟାଗ କଲେ ।
47 ଶତସେନାପତି ଏହି ଘଟଣା ଦେଖି ଈଶ୍ୱରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ ।
48 ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହି ସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ ।
49 କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହି ସବୁ ଦେଖୁଥିଲେ ।
ଲୂକ 23 in ଓଡିଆ ବାଇବେଲ