Text copied!
Bibles in Odia

ଲୂକ 23:3-42 in Odia

Help us?

ଲୂକ 23:3-42 in ଓଡିଆ ବାଇବେଲ

3 ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୂଦୀମାନଙ୍କର ରାଜା ? ସେ ତାହାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି ।
4 ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ ।
5 କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ସମଗ୍ର ଯିହୂଦା ଦେଶରେ ଶିକ୍ଷା ଦେଇ ଗାଲିଲୀଠାରୁ ଆରମ୍ଭ କରି ଏ ସ୍ଥାନ ପର୍ଯ୍ୟନ୍ତ ସୁଦ୍ଧା ଲୋକସାଧାରଣଙ୍କୁ ମତାଉଅଛି ।
6 କିନ୍ତୁ ପୀଲାତ ଏହା ଶୁଣି ପଚାରିଲେ, ଏ ଲୋକଟା କ'ଣ ଜଣେ ଗାଲିଲୀୟ ?
7 ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧିନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ ।
8 ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି, ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ ।
9 ଏଣୁ ସେ ତାହାଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ସେ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ ।
10 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ରଭାବରେ ଅଭିଯୋଗ କରୁଥିଲେ ।
11 ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ ।
12 ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା ।
13 ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିଲେ,
14 ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ । ହେରୋଦ ମଧ୍ୟ ପାଇ ନାହାଁନ୍ତି,
15 କାରଣ ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି, ପଠାଇଦେଲେ; ଆଉ ଦେଖ, ଏହି ବ୍ୟକ୍ତି ପ୍ରାଣଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ;
16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ
17 ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାହାଙ୍କୁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା ।
18 ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର ।
19 ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଲବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା ।
20 ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ ।
21 କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ ।
22 ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି ? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା ।
23 ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା ।
24 ପୁଣି, ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ;
25 କିନ୍ତୁ ବିପ୍ଲବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧିନରେ ସମର୍ପଣ କଲେ ।
26 ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀଗ୍ରାମରୁ ଆସୁଥିବା ଶିମୋନ ନାମକ ଜଣେ କୁରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ ।
27 ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍‌ଗମନ କରୁଥିଲେ ।
28 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, ଗୋ ଯିରୂଶାଲମର କନ୍ୟାମାନେ, ମୋ' ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର;
29 କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି, ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାଁନ୍ତି ଓ ସ୍ତନ୍ୟପାନ କରାଇ ନାହାଁନ୍ତି, ସେମାନଙ୍କୁ ଲୋକେ ଯେତେବେଳେ ଧନ୍ୟ ଧନ୍ୟ ବୋଲି କହିବେ ଏପରି ସମୟ ଆସୁଅଛି ।
30 ସେତେବେଳେ ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼, ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ ।
31 କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କ'ଣ ନ ଘଟିବ ?
32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ ।
33 ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ।
34 ସେତେବେଳେ ଯୀଶୁ କହିଲେ, ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ । ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ ।
35 ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ । ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ୱରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ ।
36 ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଲରସ ଯାଚି ତାହାଙ୍କୁ ପରିହାସ କରି କହିଲେ,
37 ତୁ ଯଦି ଯିହୂଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର ।
38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, "ଏ ଯିହୂଦୀମାନଙ୍କର ରାଜା ।"
39 ଆଉ କ୍ରୁଶରେ ଚଢ଼ାଯାଇ ଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୋହୁଁ ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର ।
40 କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁ ନାହୁଁ ?
41 ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାଁନ୍ତି ।
42 ପୁଣି, ସେ କହିଲା, ହେ ଯୀଶୁ , ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।
ଲୂକ 23 in ଓଡିଆ ବାଇବେଲ