Text copied!
Bibles in Odia

ଲୂକ 1:33-66 in Odia

Help us?

ଲୂକ 1:33-66 in ଓଡିଆ ବାଇବେଲ

33 ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।
34 କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ ? ମୁଁ ତ ପୁରୁଷକୁ ଜାଣେ ନାହିଁ ।
35 ଦୂତ ତାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ ।
36 ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି । ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି;
37 କାରଣ ଈଶ୍ୱରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ ।
38 ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋ' ପ୍ରତି ଘଟୁ । ତାହା ପରେ ଦୂତ ତାହାଙ୍କ ନିକଟରୁ ଗଲେ ।
39 ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳସ୍ଥ ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ,
40 ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ ।
41 ଆଉ, ଏଲୀଶାବେଥ ମରିୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ
42 ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ ।
43 ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋ' ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା ?
44 କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋ' କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋ' ଗର୍ଭରେ ଉଲ୍ଲାସରେ ନାଚି ଉଠିଲା ।
45 ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହି ସବୁ ସଫଳ ହେବ ।
46 ଏଥିରେ ମରୀୟମ କହିଲେ, ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି,
47 ପୁଣି, ମୋହର ଆତ୍ମା ମୋ' ତ୍ରାଣକର୍ତ୍ତା ଈଶ୍ୱରଙ୍କଠାରେ ଆନନ୍ଦିତ ହୋଇଅଛି;
48 କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି । ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ,
49 କାରଣ ଯେ ଶକ୍ତିମାନ, ସେ ମୋ' ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର,
50 ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ ।
51 ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଂକାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି;
52 ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି,
53 ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି ।
54 ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,
55 ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି ।
56 ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ ।
57 ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ,
58 ଆଉ ପ୍ରଭୁ ଯେ ତାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ ।
59 ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ ।
60 କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ ।
61 ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ ।
62 ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ ।
63 ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ । ଏଥିରେ ସମସ୍ତେ ଚକିତ ହେଲେ ।
64 ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ୱରଙ୍କ ପ୍ରଶଂସା କରିବାକୁ ଲାଗିଲେ ।
65 ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକୋହି ହେଲେ,
66 ପୁଣି, ଶୁଣିବା ଲୋକ ସମସ୍ତେ ସେହି ସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କ’ଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ ।
ଲୂକ 1 in ଓଡିଆ ବାଇବେଲ