Text copied!
Bibles in Odia

ଲୂକ 10:4-20 in Odia

Help us?

ଲୂକ 10:4-20 in ଓଡିଆ ବାଇବେଲ

4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ ।
5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ ।
6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ ।
7 ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ । ଘରକୁ ଘର ଯାଅ ନାହିଁ ।
8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର,
9 ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ ।
10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ,
11 ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ିଦେଉଅଛୁ; ତଥାପି ଈଶ୍ୱରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ ।
12 ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ ।
13 ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହି ସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ ।
14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ ।
15 ଆଉ, ରେ କଫର୍ନାହୂମ ତୁ କ'ଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ ।
16 ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋ' କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋ' ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ ।
17 ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି ।
18 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି ।
19 ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ ।
20 ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖା ଅଛି, ଏଥିରେ ଆନନ୍ଦ କର ।
ଲୂକ 10 in ଓଡିଆ ବାଇବେଲ