Text copied!
Bibles in Odia

ଯୋହନ 8:28-54 in Odia

Help us?

ଯୋହନ 8:28-54 in ଓଡିଆ ବାଇବେଲ

28 ଅତଏବ, ଯୀଶୁ କହିଲେ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ ।
29 ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ ।
30 ସେ ଏହି ସମସ୍ତ କଥା କହନ୍ତେ, ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।
31 ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ,
32 ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ ।
33 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ ?
34 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ, ସେ ପାପର ଦାସ ।
35 ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ ।
36 ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ ।
37 ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ ।
38 ମୁଁ ପିତାଙ୍କ ନିକଟରେ ଯାହା ଯାହା ଦେଖିଅଛି, ସେହି ସବୁ କହୁଅଛି; ଅତଏବ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପିତା ନିକଟରୁ ଯାହା ଯାହା ଶୁଣିଅଛ, ସେହି ସବୁ କର ।
39 ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା । ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର;
40 କିନ୍ତୁ ଯେ ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଏପରିଲୋକ ଯେ ମୁଁ, ମୋତେ ତୁମ୍ଭେମାନେ ଏବେ ବଧ କରିବାକୁ ଚେଷ୍ଟା କରୁଅଛ; ଅବ୍ରହାମ ଏପରି କର୍ମ କଲେ ନାହିଁ ।
41 ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ୱର ।
42 ଯୀଶୁ ସେମାନଙ୍କୁ କହିଲେ, ଈଶ୍ୱର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ ।
43 ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ ।
44 ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା ।
45 କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ ।
46 ମୋ'ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ ?
47 ଯେ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଉତ୍ପନ୍ନ ନୁହଁ ।
48 ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କ'ଣ ଆମ୍ଭେମାନେ ଠିକ‍ କହୁ ନାହୁଁ ?
49 ଯୀଶୁ ଉତ୍ତର ଦେଲେ, ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ ।
50 କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି ।
51 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ ।
52 ଯିହୂଦୀମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ ।
53 ତୁ କ'ଣ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ଅପେକ୍ଷା ଶ୍ରେଷ୍ଠ? ସେ ତ ମୃତ୍ୟୁଭୋଗ କରିଅଛନ୍ତି, ଭାବବାଦୀମାନେ ମଧ୍ୟ ମୃତ୍ୟୁଭୋଗ କରିଅଛନ୍ତି; ତୁ ନିଜକୁ କିଏ ବୋଲି କହୁଅଛୁ ?
54 ଯୀଶୁ ଉତ୍ତର ଦେଲେ, ମୁଁ ଯଦି ନିଜର ଗୌରବ କରୁଥାଏ, ତେବେ ମୋହର ଗୌରବ କିଛି ନୁହେଁ; ମୋହର ଯେଉଁ ପିତାଙ୍କୁ ତୁମ୍ଭେମାନେ ତୁମ୍ଭମାନଙ୍କ ଈଶ୍ୱର ବୋଲି କହୁଅଛ, ସେ ମୋହର ଗୌରବ କରୁଅଛନ୍ତି ;
ଯୋହନ 8 in ଓଡିଆ ବାଇବେଲ