Text copied!
Bibles in Odia

ଯୋହନ 7:36-51 in Odia

Help us?

ଯୋହନ 7:36-51 in ଓଡିଆ ବାଇବେଲ

36 ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ, ସେ ଏହି ଯେଉଁ କଥା କହିଲେ, ସେ କ'ଣ ?
37 ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ' ନିକଟକୁ ଆସି ପାନ କରୁ ।
38 ଯେ ମୋ'ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ ।
39 ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ ।
40 ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ ।
41 ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କ'ଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ ?
42 ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କ'ଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ ?
43 ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;
44 ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ ।
45 ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?
46 ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ ।
47 ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କ'ଣ ଭ୍ରାନ୍ତ ହୋଇଅଛ?
48 ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କ'ଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?
49 କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ ।
50 ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,
51 ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କ'ଣ ତାହାକୁ ଦୋଷୀ କରେ ?
ଯୋହନ 7 in ଓଡିଆ ବାଇବେଲ